fbpx

ମହିଳା ଟି-୨୦ ବିଶ୍ୱକପ୍: ସେମିରେ ଭାରତ, ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ କରିବା ମୁକାବିଲା

Advertisement

ସେଣ୍ଟଜର୍ଜ ପାର୍କ (ଦକ୍ଷିଣ ଆଫ୍ରିକା) : ଭାରତ ଚଳିତ ମହିଳା ଟି-୨୦ କ୍ରିକେଟ ବିଶ୍ୱକପ୍ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି। ଏହା ପୂର୍ବରୁ ଭାରତ ୨୦୦୯ ଓ ୨୦୧୦ ବିଶ୍ୱକପ୍‌ ସେମିଫାଇନାଲ ଖେଳିଥିବା ବେଳେ ୨୦୨୦ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ତେବେ ଚଳିତବର୍ଷ ପୁଣି ସେମିଫାଇନାଲ ଖେଳିବା ସୁଯୋଗ ସୃଷ୍ଟି କରିଛି। ସୋମବାର ଏଠାରେ ଅନୁଷ୍ଠିତ ଗ୍ରୁପ୍ ପର୍ଯ୍ୟାୟ ଲିଗ୍ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୫ ରନ୍‌ରେ ପରାସ୍ତ କରିଛି। ପ୍ରଥମେ
ବ୍ୟାଟିଂ କରି ଭାରତ ସ୍ମୃତି ମାନ୍ଧାନଙ୍କ କ୍ୟାରିଅର ଶ୍ରେଷ୍ଠ ଇନିଂସ ୮୭ ରନ୍‌ ବଳରେ ୬ ୱିକେଟ ହରାଇ ୧୫୫ ରନ୍‌ କରିଥିଲା।

ପଛରେ ବ୍ୟାଟିଂ କରି ଆୟର୍ଲାଣ୍ଡ ୮.୨ ଓଭରରେ ୨ ୱିକେଟ ହରାଇ ୫୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା । ପରବର୍ତ୍ତି ସମୟରେ ପାଗ ଖରାପ ଯୋଗୁଁ ମ୍ୟାଚ୍ ଅନୁଷ୍ଠିତ ହୋଇ ପାରିନଥିଲା । ତେଣୁ ଡକ୍ ୱର୍ଥ ଲୁଇସ୍‌ ମେଥଡ ଅନୁଯାୟୀ ଭାରତ ୫ ରନ୍‌ରେ ପ୍ରତିପକ୍ଷ ଦଳ ଠାରୁ ଆଗୁଆ ରହିବା ଯୋଗୁଁ ବିଜୟୀ ଘୋଷିତ ହୋଇଥିଲା । ଗ୍ରୁପ୍‌-ବିରେ ସ୍ଥାନ ପାଇଥିବା ଭାରତ ୪ ମ୍ୟାଚ୍‌ର ୬ ପଏଣ୍ଟ ପାଇ ଶେଷ ୪ଦଳ ମଧ୍ୟରେ ସ୍ଥାନ ପାଇଛି । ପୂର୍ବରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିସାରି ଥିଲେ ।

ତେବେ ଭାରତ ସେମିଫାଇନାଲରେ ଶକ୍ତିଶାଳି ଅଷ୍ଟ୍ରେଲିଆ ବିରୁଦ୍ଧରେ ଲଢ଼େଇ କରିବାକୁ ଥିବା ବେଳେ ଏହି ମ୍ୟାଚ୍ ବଡ ଚାଲେଞ୍ଜ ସୃଷ୍ଟି କରିବ । କାରଣ ଅଷ୍ଟ୍ରେଲିଆ ସର୍ବାଧିକ ୫ଥର ଚାମ୍ପିଅନ ହୋଇଥିବା ବେଳେ ବିଗତ ୨ ସଂସ୍କରଣରେ ମଧ୍ୟ ଟାଇଟଲ ହାସଲ କରିଥିଲା । ତେଣୁ କ୍ରମାଗତ ତୃତୀୟ ଥର ପାଇଁ ଓ ଷଷ୍ଠ ଥର ଚାମ୍ପିଅନ ହେବା ଲକ୍ଷ୍ୟ ରଖିଛି । ସୂଚନାଯୋଗ୍ୟ ଯେ, ବିଶ୍ୱକପ୍‌ର ଗତ ୩ସଂସ୍କରଣରେ ଅଷ୍ଟ୍ରେଲିଆକୁ ଭାରତ କେବଳ ଦୁଇ ଥର ପରାସ୍ତ କରିଛି । ତେଣୁ ଆସନ୍ତା ଗୁରୁବାର ଦିନ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ ଠାରେ ଅନୁଷ୍ଠିତ ହେବାକୁ ଥିବା ସେମିଫାଇନାଲ ମ୍ୟାଚ୍‌ରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ଭାରତ କିପରି ମୁକାବିଲା କରିବ ତାହା ଅପେକ୍ଷାର ବିଷୟ ।

Get real time updates directly on you device, subscribe now.