fbpx

ଟି-୨୦ରେ ରୋହିତଙ୍କୁ ପଛରେ ପକାଇଲେ ହରମନ୍‌ପ୍ରୀତ, ଦୁଇ ରେକର୍ଡ ପ୍ରତିଷ୍ଠା କଲେ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳ ଅଧିନାୟିକା ହରମନପ୍ରୀତ କୌର ଏକକାଳୀନ ଦୁଇ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଭାରତର ପ୍ରଥମ କ୍ରିକେଟର(ପୁରୁଷ କିମ୍ବା ମହିଳା) ଭାବେ ଟି-୨୦ ଫର୍ମାଟରେ ୧୫୦ ମ୍ୟାଚ୍ ଖେଳିବା ସହିତ ୩ହଜାର ରନ୍ ପୂରଣ କରିଛନ୍ତି। ସୋମବାର ଦକ୍ଷିଣ ଆଫ୍ରିକାର ସେଣ୍ଟ ଜୋନ୍ସ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ଚଳିତ ମହିଳା ଟି-୨୦ ବିଶ୍ୱକପ୍‌ର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବା ଅବସରରେ ହରମନପ୍ରୀତଙ୍କୁ ଏହି ସଫଳତା ମିଳିଛି । ସେ ମହିଳା କ୍ରିକେଟରେ ଭାରତର ପ୍ରଥମ ଓ ବିଶ୍ୱର ଚତୁର୍ଥ ବ୍ୟାଟରଭାବେ ୩ହଜାର ରନ୍ ପୂରଣ କରିଛନ୍ତି।

ନ୍ୟୁଜିଲାଣ୍ଡର ସୁଜିବେଟସ ୧୪୩ ଟି-୨୦ ମ୍ୟାଚ୍ ଓ ଇଂଲଣ୍ଡର ଡ୍ୟାନି ୱାଟ ୧୪୧ ଟି-୨୦ ମ୍ୟାଚ୍ ଖେଳି ଏହି ରେକର୍ଡର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ପୁରୁଷ ଖେଳାଳିଭାବେ ଭାରତୀୟ ଦଳର ରୋହିତ ଶର୍ମା ୧୪୮, ପାକିସ୍ତାନର ସୋଏବ ମଲ୍ଲିକ ୧୨୪ ଓ ନ୍ୟୁଜିଲାଣ୍ଡର ମାର୍ଟିନ ଗପଟିଲ ପୁରୁଷ ଖେଳାଳି ଭାବେ ୧୨୨ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ହରମନପ୍ରୀତ କୌର ସର୍ବାଧିକ ୧୫୦ ଟି-୨୦ ମ୍ୟାଚ୍‌ ଖେଳି ଉଭୟ ବର୍ଗରେ ଏକ ନୂଆ ମାଇଲଖୁଣ୍ଟ ଛୁଇଁ ପାରିଛନ୍ତି। ଏଥିପାଇଁ ସେ ବିସିସିଆଇ, ଆଇସିସି ଓ ତାଙ୍କର ପ୍ରଶଂସକଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ହରମନପ୍ରୀତ ଭାରତୀୟ ମହିଳା କ୍ରିକେଟର ଭାବେ ଟି-୨୦ ଫର୍ମାଟରେ ବ୍ୟକ୍ତିଗତ ସର୍ବାଧିକ ୧୦୩ ରନ୍ କରିଥିବା ବେଳେ ଏହି ଫର୍ମାଟରେ ଶ୍ରେଷ୍ଠ ଛକା ହିଟର ଭାବେ ୭୦ ଛକା ମାରିଛନ୍ତି। ସୋମବାର ଆୟର୍ଲାଣ୍ଡ ମ୍ୟାଚ୍‌ରେ ୮ରନ୍ କରିଥିବାବେଳେ ସେ ୩ହଜାର ରନ୍ ପୂରଣ କରିଥିଲେ । ଏହା ବ୍ୟତୀତ ସେ ୨୦୦୯ରେ ଟି-୨୦ ବିଶ୍ୱକପ୍ ଖେଳିବା ସହିତ ୩୪ ମ୍ୟାଚ୍‌ରୁ ଗୋଟିଏ ଶତକ ଓ ଅର୍ଦ୍ଧଶତକ ବଳରେ ୫୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.