fbpx

ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ମନାଇଲେ ନିଜର ୧୧୩ତମ ଜନ୍ମଦିନ: କଫି ଓ ମଦରୁ ହୁଏ ଦିନର ଆରମ୍ଭ

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ କାରଣ ଯୋଗୁଁ ଧିରେ ଧିରେ ମଣିଷର ହାରାହାରି ବୟସ କମିବାରେ ଲାଗିଛି । କିନ୍ତୁ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଆଜି ବି ନିଜ ବୟସ ଓ ସ୍ୱାସ୍ଥ୍ୟକୁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି । ସେମାନଙ୍କ ବୟସ ଓ ଫିଟନେସ୍ କୌଣସି ରହସ୍ୟଠାରୁ କମ୍ ନୁହେଁ । ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି ଜୁଆନ୍ ଭିସେଣ୍ଟେ ପେରେଜ୍ ମୋରା ।

ଭେନେଜୁଏଲାରେ ରହୁଥିବା ପେରେଜ ମୋରା ଦୁନିଆର ସବୁଠାରୁ ବୟସ୍କ ଜୀବନ୍ତ ବ୍ୟକ୍ତି । ସେ ୨୭ ମେ’ରେ ନିଜର ୧୧୩ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ବିଶେଷ ଉତ୍ସବରେ ସେ ଲୋକମାନଙ୍କ ସହିତ ତାଙ୍କର ଦୀର୍ଘାୟୁର ରହସ୍ୟ କହିଥିଲେ । ଆସନ୍ତୁ ଜାଣିବା ତାଙ୍କର ଫିଟ୍ ରହିବାର କାରଣ…

କଫି ଓ ମଦରୁ ଦିନର ଆରମ୍ଭ
ଜୁଆନ୍ ଭିସେଣ୍ଟେ ପେରେଜ୍ ମୋରାଙ୍କ ଜନ୍ମଦିନରେ ତାଙ୍କର କିଛି ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ ହୋଇଥିଲେ । କେକ୍ କାଟିବା ପରେ ଚର୍ଚ୍ଚ ବାହାରେ ଦୀର୍ଘ ସମୟ ଧରି ପାର୍ଟି ଚାଲିଥିଲା । ଏହା ପରେ ପେରେଜ ମୋରା କହିଥିଲେ ଯେ, ସେ ପ୍ରତିଦିନ ଏକ ଗ୍ଲାସ ଆଖୁ ରସରେ ପ୍ରସ୍ତୁତ ମଦ ପିଅନ୍ତି । ଦିନର ଆରମ୍ଭ ସେ ଗୋଟିଏ କପ୍ କଫି ସହ କରନ୍ତି । କଫିର କିଛି ସମୟ ପରେ ସେ ଏକ ଗ୍ଲାସ୍ ଆଗୁଆର୍ଡେଣ୍ଟେ ମଦ ପିଇଥା’ନ୍ତି, ଯାହା ଆଖୁ ରସରୁ ତିଆରି ହୋଇଥାଏ ।

ପେରେଜ ମୋରାଙ୍କୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ଆନୁଷ୍ଠାନିକ ଭାବେ ବିଶ୍ୱର ସବୁଠାରୁ ବୟସ୍କ ଜୀବନ୍ତ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି । ୪ ଫେବୃଆରୀ ୨୦୨୨ ସୁଦ୍ଧା ତାଙ୍କର ବୟସ ୧୧୨ ବର୍ଷ ୨୫୩ ଦିନ ଥିଲା । ଶନିର୍ନିନୋ ଦେ ଲା ଫୁଏଣ୍ଟେ ଗାର୍ସିଆଙ୍କ ରେକର୍ଡ ଭାଙ୍ଗିଛନ୍ତି ପେରେଜ୍ ମୋରା । ପେରେଜ ମୋରାଙ୍କ ପୂର୍ବରୁ ଗାର୍ସିଆ ସବୁଠାରୁ ବୟସ୍କ ବ୍ୟକ୍ତି ଥିଲେ । ୧୧ ଫେବୃଆରୀ ୧୯୦୯ ରେ ସ୍ପେନରେ ଜନ୍ମ ହୋଇଥିବା ଗାର୍ସିଆଙ୍କ ମୃତ୍ୟୁ ୧୧୨ ବର୍ଷ ୩୪୧ ଦିନ ବୟସରେ ହୋଇଥିଲା ।

ରିପୋର୍ଟ ଅନୁସାରେ, ସ୍ଥାନୀୟ ଡାକ୍ତର ତାଙ୍କୁ ଅନେକ ଥର ଯାଞ୍ଚ କରିଛନ୍ତି । ଡାକ୍ତରଙ୍କ ଅନୁଯାୟୀ ପେରେଜ ମୋରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି ଓ ସେ କୌଣସି ମେଡିସିନ୍ ବି ଖାଉନାହାନ୍ତି । ତାଙ୍କ ଝିଅ ନେଲିଡା ପେରେଜ କହିଛନ୍ତି ଯେ, ତାଙ୍କୁ କୌଣସି ପ୍ରକାରର ରୋଗ ନହେବା ଆମ ପାଇଁ ଆରାମଦାୟକ ବିଷୟ । ତାଙ୍କୁ କୌଣସି ମେଡିସିନ୍ ଦେବାର ବି ଆବଶ୍ୟକତା ପଡେନାହିଁ ।

Get real time updates directly on you device, subscribe now.