fbpx

(Video) ପାଇପ୍ ପାଣିରେ ଖାଲି ପୋକ ସାଲୁବାଲୁ: ଗୋଳିଆ ପାଣିରେ ଖାଲି ଅଳିଆ, ପିଇଲେ ବ୍ୟାପିବ ଝାଡ଼ାବାନ୍ତି, କିଡନୀ ରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଇବା ପାଣିରେ ଖାଲି ପୋକ ସାଲୁବାଲୁ ହେଉଛନ୍ତି । ଏଥିସହିତ ପାଣିର ରଙ୍ଗ ନାଲି, ନେଳି ଦେଖାଯିବା ସହ ପାଣିରେ ଅଳିଆ ଭାସୁଛି । ବିଭିନ୍ନ ଅପରିଷ୍କାର ଜିନିଷ ମିଶିଥିବାରୁ ପାଣିରୁ ଉକ୍ରଟ ଗନ୍ଧ ବାହାରୁଛି । ତେବେ ସବୁଠାର ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପରି ନିମ୍ନମାନର ପାଣି ଲୋକଙ୍କୁ ପିଇବାକୁ ଦିଆଯାଉଛି । ପ୍ରତ୍ୟେକ ଘରକୁ ଯୋଗାଣ ହେଉଥିବା ପାଣିରୁ ଏଭଳି ପୋକ ବାହାରୁଥିବା ଦେଖାଯାଇଛି ।

ଏଭଳି ଅଭାବନୀୟ ଘଟଣାର ବଲାଙ୍ଗିର ଜିଲ୍ଲା ସାଗରପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଉପଖଣ୍ଡ ସ୍ଥିତ ପ୍ୟାଲେସ ଲେନ୍ ଶାଖା ଦ୍ୱାରା ଯୋଗାଣ କରାଯାଉଥିବା ପାଣିରେ ସ୍ଥାନୀୟବାସୀ ବେହାଲ୍ ହୋଇପଡ଼ିଲେଣି । ଗତ ଦୁଇଦିନ ହେଲା ଯୋଗାଣ ପାଣି ଗୋଳିଆ ଦେଖାଯିବା ସହ ସେଥିରୁ ଦୁର୍ଗନ୍ଧ ବାହାରୁଛି । ଏନେଇ ପଡ଼ାବାସୀ ଅଭିଯୋଗ କରିବାକୁ ଯାଇଥିଲେ ହେଁ ଅଧିକାରୀ କାର୍ଯ୍ୟାଳୟରେ ନଥିବା କହିଛନ୍ତି ।

ସାଗରପଡ଼ା ବାସିନ୍ଦା ଜନସ୍ୱାସ୍ଥ୍ୟ ବିାଭଗର ପାଇପ୍ ପାଣି ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରନ୍ତି । ମାତ୍ର ଦୁଇଦିନ ଧରି ଏଭଳି ନିମ୍ନମାନର ପାଣି ଯୋଗାଣ ଯୋଗୁଁ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅନ୍ୟ ଉପାୟ ନପାଇ ସେମାନେ ବାଧ୍ୟ ହୋଇ ଉକ୍ତ ପାଣି ବ୍ୟବହାର କରୁଥିବା କହିଛନ୍ତି । ତେବେ ଜଳ ଯୋଗାଣ କରାଯାଉଥିବା ପାଇପ୍ କୌଣସି ସ୍ଥାନରେ ଫାଟି ଯାଇଥିବାର ଅନୁମାନ କରାଯାଉଛି । ତେଣୁ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ପଡ଼ାବାସୀ ଦାବି କରିଛନ୍ତି । ଏହାର ପ୍ରତିକାର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଝାଡ଼ାବାନ୍ତି, କିଡନୀ ଭଳି ଭୟଙ୍କର ରୋଗ ବ୍ୟାପିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.