fbpx

ଶେଷ ହେଲା ବିଶ୍ୱ ଟେଷ୍ଟ ଚମ୍ପିଆନସିପ: ଏବେ ଫାଇନାଲ ମ୍ୟାଚ ଉପରେ ନଜର

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସହ ଶେଷ ହୋଇଛି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୩ର ଯାତ୍ରା । ଟୁର୍ଣ୍ଣାମେଣ୍ଟର ଶେଷ ଭିତରେ ଫାଇନାଲରେ ପହଞ୍ଚିଛନ୍ତି ବିଶ୍ୱର ଦୁଇ ସର୍ବଶ୍ରେଷ୍ଠ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ । ଏହାପରେ ଆଇସସିସି ତରଫରୁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ପଏଣ୍ଟ ଟେବୁଲ ଜାରି କରାଯାଇଛି । ଏବେ ଚମ୍ପିଆନସିପର ଫାଇନାଲ ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର । ଆସନ୍ତା ଜୁନ ୭ ତାରିଖରେ ଲଣ୍ଡନର ଓଭାଲ ମଇଦାନରେ ଏହି ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ଖେଳାଯିବ ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ ଟିମ । ଏହାପରେ ଭାରତ ଏହି ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି । ତେବେ ଆଇସିସିର ନିୟମ ଅନୁସାରେ ପ୍ରଥମ ଦୁଇ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବେ । ତେବେ ଶ୍ରୀଲଙ୍କାର ପାଇନାଲକୁ ଯିବାର ସୁଯୋଗ ଥିବା ବେଳେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୨-୦ରେ ସିରିଜ ପରାଜୟ ହୋଇଥିବାରୁ ରେସରୁ ବାଦ ପଡିଛି ।

ତେବେ ଫାଇନାଲ ପଏଣ୍ଟ ଟେବୁଲ ଅନୁସାରେ, ଅଷ୍ଟ୍ରେଲିଆ ୧୧ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୩ଟି ମ୍ୟାଚରେ ପରାଜୟ ଏବଂ ୫ଟି ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ଏହାଦ୍ୱାରା ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୬୬.୬୭ ପ୍ରତିଶତ ରହିଛି । ସେହିପରି ଭାରତ ୧୦ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୫ଟି ମ୍ୟାଚରେ ପରାଜୟ ଏବଂ ୩ଟି ମ୍ୟାଚ ଡ୍ର କରିଛି । ଭାରତର ୫୮.୬ର ବିଜୟ ପ୍ରତିଶତ ସହିତ ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି ।

ତେବେ ଚଳିତବର୍ଷ ଲଗାତାର ଦ୍ୱିତୀୟ ଥର ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତ ସ୍ଥାନ ପାଇଛି । ତେଣୁ ଉଭୟ ଦଳ ଭିତରେ ଚମ୍ପିଆନର ମୁକୁଟ ପାଇଁ ଆସନ୍ତା ଜୁନ ୭ ତାରିଖରେ ଫାଇନାଲ ଯୁଦ୍ଧ ଓଭାଲରେ ଖେଳାଯିବ । ଗତ ଥର ନ୍ୟୁଜିଲାଣ୍ଡ ପାଖରୁ ପରାସ୍ତ ହେବାରୁ ଭାରତର ଚମ୍ପିଆନ ଆଶା ଆଶାରେ ରହି ଯାଇଥିଲା । ତେବେ ଚଳିତବର୍ଷ ପୁଣିଥରେ ଭାରତ ପାଖରେ ବିଶ୍ୱ ଟେଷ୍ଟ ଚମ୍ପିଆନ ହେବାର ସୁବର୍ଣ୍ଣ ସୁଯୋଗ ରହିଛି ।

Get real time updates directly on you device, subscribe now.