fbpx
BSKY
BJD MC SKY
BJD YOUTH SKY

ବର୍ଷ ୨୦୨୩: କ୍ରିକେଟକୁ ବିଦାୟ ଦେଲେ ୬ଜଣ ଷ୍ଟାର ଖେଳାଳି; ବିଶ୍ୱକପ୍ ଜିତିଥିବା ଖେଳାଳି ବି ଅଛନ୍ତି ସାମିଲ

ଓଡ଼ିଶା ଭାସ୍କର: ନିକଟରେ ଭାରତରେ ଖେଳାଯାଇଥିଲା ଦିନିକିଆ ବିଶ୍ୱକପ୍। ଫାଇନାଲରେ ଟିମ୍ ଇଣ୍ଡିଆକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଜିତିଥିଲା ଅଷ୍ଟ୍ରେଲିଆ। ଅନ୍ୟପକ୍ଷରେ ଚଳିତ ବିଶ୍ବକପ୍ ପରେ ଆଫ୍ରିକୀୟ ଓପନର କ୍ୱିଣ୍ଟନ୍ ଡିକକ୍ଙ୍କ ସମେତ ଅନେକ ବଡ଼ ବଡ଼ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ କୁ ବିଦାୟ ଦେଇଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି ୬ଜଣ ଷ୍ଟାର ଖେଳାଳି  ।

କ୍ୱିଣ୍ଟନ ଡି କକ୍- ଦକ୍ଷିଣ ଆଫ୍ରିକା ଖେଳାଳି କ୍ୱିଣ୍ଟନ ଡିକକ୍ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ତେବେ କ୍ୱିଣ୍ଟନ୍ ଡିକକ୍ଙ୍କ ପାଇଁ ବିଶ୍ୱକପ୍ ଚମତ୍କାର ଥିଲା। ଏହି ଟୁର୍ଣ୍ଣାମେଣ୍ଟରେ କ୍ୱିଣ୍ଟନ ଡିକକ୍ ୫୯୪ ରନ୍ କରିଥିଲେ। କିନ୍ତୁ ଏବେ ଏହି ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଦକ୍ଷିଣ ଆଫ୍ରିକା ପାଇଁ ଦିନିକିଆ ଫର୍ମାଟରେ ଦେଖିବାକୁ ମିଳିବ। ତେବେ କ୍ୱିଣ୍ଟନ ଡି କକ୍ ଆଇପିଏଲ୍ ସମେତ ବାକି ଟି-୨୦ ଲିଗ୍ ରେ ଖେଳିବେ।

ଡେଭିଡ୍ ୱିଲି- ଇଂଲଣ୍ଡ କ୍ରିକେଟର ଡେଭିଡ୍ ୱିଲି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ଡେଭିଡ୍ ୱିଲି ୭୨ ଦିନିକିଆ ବ୍ୟତୀତ ୪୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହାବ୍ୟତୀତ ଡେଭିଡ୍ ୱିଲି ଆଇପିଏଲରେ ୧୧ଟି ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ବିଶ୍ୱକପ୍ ପରେ ଡେଭିଡ୍ ୱିଲି କହିଛନ୍ତି ଯେ ସେ ଆଉ ଇଂଲଣ୍ଡ ପାଇଁ ଖେଳିବେ ନାହିଁ।

ଇମାଦ ୱାସିମ- ପାକିସ୍ତାନଅଲରାଉଣ୍ଡର ଇମାଦ ୱାସିମ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ଇମାଦ ୱାସିମ ପାକିସ୍ତାନ ପକ୍ଷରୁ ୫୫ ଦିନିକିଆ ଓ ୬୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଦିନିକିଆ ଫର୍ମାଟରେ ଇମାଦ ୱାସିମ ୪୨.୮୭ ହାରାହାରି ଓ ୧୧୦.୨୯ ଷ୍ଟ୍ରାଇକ୍ ରେଟ୍ ରେ ୯୮୬ ରନ୍ କରିଥିଲେ। ଏହାବ୍ୟତୀତ ସେ ଦିନିକିଆରେ ୪୪ଟି ୱିକେଟ୍ ନେଇଥିଲେ।

ଡ୍ୱେନ ପ୍ରିଟୋରିୟସ୍- ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ଖେଳାଳି ଡ୍ୱେନ ପ୍ରିଟୋରିୟସ୍ କ୍ରିକେଟକୁ ବିଦାୟ ଦେଇଛନ୍ତି। ୩ଟି ଟେଷ୍ଟ ବ୍ୟତୀତ ଡ୍ୱେନ ପ୍ରିଟୋରିୟସ୍ ଦକ୍ଷିଣ ଆଫ୍ରିକା ପକ୍ଷରୁ ୨୭ଟି ଦିନିକିଆ ଓ ୩୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟରେ ଡ୍ୱେନ ପ୍ରିଟୋରିୟସ୍ ଯଥାକ୍ରମେ ୭, ୩୫ ଓ ୩୫ ୱିକେଟ୍ ନେଇଥିଲେ।

ଆରୋନ୍ ଫିଞ୍ଚ୍- ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜେତା ଅଧିନାୟକ ଆରୋନ୍ ଫିଞ୍ଚ୍ କ୍ରିକେଟ୍ କୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆରୋନ୍ ଫିଞ୍ଚ୍ ଅଷ୍ଟ୍ରେଲିଆ ପକ୍ଷରୁ ୧୪୬ ଦିନିକିଆ ଓ ୧୦୩ ଟି-୨୦ ମ୍ୟାଚ୍ ଖେଳିବା ସହ ୫ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହାବ୍ୟତୀତ ଆରୋନ୍ ଫିଞ୍ଚ ଆଇପିଏଲ୍ରେ ୯୨ଟି ମ୍ୟାଚ୍ ଖେଳିଛନ୍ତି।

ଯୋଗିନ୍ଦର ଶର୍ମା- ୨୦୦୭ରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ଜିତିଥିଲା। ଯୋଗିନ୍ଦର ଶର୍ମା ମଧ୍ୟ ଏହି ଭାରତୀୟ ଦଳରେ ଥିଲେ। ପାକିସ୍ତାନ ବିପକ୍ଷ ଫାଇନାଲରେ ଯୋଗିନ୍ଦର ଶର୍ମା ଶେଷ ଓଭର ବୋଲିଂ କରିଥିଲେ। ପାକିସ୍ତାନକୁ ହରାଇ ଭାରତୀୟ ଦଳ ବିଶ୍ୱ ଚାମ୍ପିୟନ ହୋଇଥିଲା। ସେହିପରି ଚଳିତ ବର୍ଷ ଯୋଗିନ୍ଦର ଶର୍ମା କ୍ରିକେଟକୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଯୋଗିନ୍ଦର ଶର୍ମା ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆର ଅଂଶ ନଥିଲେ।

Get real time updates directly on you device, subscribe now.