fbpx

ସକ୍ରିୟ ହେଲା ପଶ୍ଚିମା ଝଡ଼: ଉପାନ୍ତରୁ ଉପକୂଳ ବର୍ଷିବ, ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ହେଲା ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ଝଡ଼ ପବନ ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବିଶେଷକରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼,ପବନ, ବର୍ଷା ନେଇ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାପାଇଁ ସତର୍କ ସୂଚନା ଜାରି କରାଯାଇଛି । ବର୍ଷା ସମୟରେ ୪୦ରୁ ୫୦ କିମି ବେଗରେ ପବନ ବୋହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ୨୭ ତାରିଖରେ ୩୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବାବେଳେ ଉପକୂଳ ଏବଂ ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ ।

ସେହିପରି ୧୩ଟି ଜିଲ୍ଲାକୁ ବଜ୍ରପାତ ପାଇଁ ସତର୍କ କରିଛି ପାଣିପାଗ ବିଭାଗ । ୨୮ ତାରିଖରେ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଛି ବଜ୍ରପାତ ସମୟରେ ବିଲକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । କିଛି ସ୍ଥାନରେ କୁଆପଥର ବୃଷ୍ଟି ନେଇ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରରେ ମଧ୍ୟାହ୍ନରେ ତାତି ଓ ଅପରାହ୍ନରେ କାଳବୈଶାଖୀର ସମ୍ଭାବନା ରହିଛି । କାଳବୈଶାଖୀର ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଚିଠି କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ପଶ୍ଚିମାଝଡ଼ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ବିଶେଷକରି ଚାଷ ନଷ୍ଟ ହୋଇଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ପୁଣିଥରେ ପଶ୍ଚିମାଝଡ଼ ଆସୁଥିବାରୁ ସେମାନେ ଚିନ୍ତାପ୍ରକଟ କରିଛନ୍ତି ।

Get real time updates directly on you device, subscribe now.