fbpx

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ଓ ଆସନ୍ତାକାଲି ପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮କି.ମି. ଉଚ୍ଚତା ଯାଏ ବ୍ୟାପିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ରାଜ୍ୟରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ ।

ସେ କହିଛନ୍ତି ଯେ, ୮ ତାରିଖ ପାଇଁ ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ରାୟଗଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ସୂଚନା ଜାରି କରାଯାଇଥିବାବେଳେ ମାଲକାନାଗିରି, କଳାହାଣ୍ଡି, ନୟାଗଡ଼, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୯ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେହିଭଳି ୯ରୁ ୧୦ ତାରିଖ ମଧ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ଶ୍ରୀ ଦାସ କହିଛନ୍ତି ।

ସେହିଭଳି ଉପକୂଳ ଓଡ଼ିଶାର ୮ଟି ଜିଲ୍ଲା ସମେତ ଦକ୍ଷିଣ- ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୯ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୧୦ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିବ । ତେବେ ଏସବୁ ଭିତରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଯଦି ଏହା ଅବପାତର ରୂପ ନିଏ ତେବେ ବର୍ଷା ସହ ପୁଣି ଥରେ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.