fbpx

ମୁସଲିମ ବୃଦ୍ଧଙ୍କୁ ମାଡ ମାରିବା ଘଟଣାରେ ରାହୁଲଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଜବାବ- ଆପଣଙ୍କୁ ଲଜ୍ଜା ଲାଗିବା ଉଚିତ୍

ଲକ୍ଷ୍ନୌ ୧୫।୦୬: ଗାଜିଆବାଦରେ ଜଣେ ବୃଦ୍ଧ ମୁସଲିମ ବ୍ୟକ୍ତିଙ୍କୁ ମାରମିଟ ସହ ବଳପୂର୍ବକ ଧାର୍ମିକ ନାରା ଲଗାଇବା ଅଭିଯୋଗ ପରେ ରାଜନୀତି ଜୋର ଧରିଛି। ଶାସକ ବିଜେପି ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହମଲା କରିଛନ୍ତି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଶ୍ରୀରାମଙ୍କ ନାମ ଲେଖି ଯୋଗୀଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ।
ଏହା ପରେ ରାହୁଲଙ୍କୁ ପ୍ରତିଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ରାହୁଲଙ୍କୁ ଉପଦେଶ ଦେଇ କହିଛନ୍ତି, ପ୍ରଭୁ ଶ୍ରୀରାମଙ୍କ ପ୍ରଥମ ଶିକ୍ଷା ଏହା ଯେ- ସର୍ବଦା ସତ କହିବେ, ଯାହା ଆପଣ ଜୀବନରେ କେବେ କରି ନାହାନ୍ତି। ଆପଣଙ୍କୁ ଲଜ୍ଜା ଲାଗିବା ଉଚିତ୍ ଯେ, ପୋଲିସ ଘଟଣାର ସତ୍ୟତା କହିବା ପରେ ମଧ୍ୟ ଆପଣ ସମାଜରେ ବିଷର ଜ୍ଵାଳା ପ୍ରସାର କରିବାରେ ଲାଗିଛନ୍ତି। କ୍ଷମତା ଲୋଭରେ ମାନବିକତାକୁ ଲଜ୍ଜିତ କରୁଛନ୍ତି। ଉତ୍ତର ପ୍ରଦେଶର ଜନତାଙ୍କୁ ଅପମାନିତ କରିବା ଏବଂ ସେମାନଙ୍କୁ ବଦନାମ କରିବା ଛାଡି ଦିଅନ୍ତୁ।
ସୂଚନାଯୋଗ୍ୟ, ସାମାଜିକ ଗଣାମଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଜଣେ ମୁସଲିମ ବୃଦ୍ଧଙ୍କୁ ଚାରି ଜଣ ଅଜଣା ଲୋକ ଗାଜିଆବାଦର ଏକ ଶୂନଶାନ କୋଠା ଭିତରକୁ ନେଇ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରୁଛନ୍ତି। ମାଡ ମାରିବା ଏବଂ ଦାଢି କାଟିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଭିଡିଓରେ ନିଜର କ୍ଷତ ଚିହ୍ନକୁ ଦେଖାଇ ମସଦ କହିଛନ୍ତି, ତାଙ୍କୁ ଗୋକୁଲପୁରୀ ଅଞ୍ଚଳରୁ ଗିରଫ କରାଯାଇଥିଲା। ସେହି ସମୟରେ ସେ ଗାଜିଆବାଦରେ ଲୋନି ଯିବା ପାଇଁ ଅଟୋରେ ବସିଥିଲ। ସେହି ସମୟରେ ଅଟୋରେ ପୂର୍ବରୁ ଦୁଇ ଜଣ ଲୋକ ଥିଲେ। ପରେ ଅଟୋରେ ଆଉ ଦୁଇ ଜଣ ଲୋକ ବସିଥିଲେ। ଏହି ଚାରି ଜଣ ଅଚାନକ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ବୃଦ୍ଧ ଜଣଙ୍କ ଅଭିଯୋଗ କରିଥିଲେ।

Get real time updates directly on you device, subscribe now.