fbpx

ପେଟ୍ରୋଲ-ଡିଜେଲରେ ମିଳିବ ରିହାତି: କରନ୍ତୁ କେବଳ ଏହି ଛୋଟିଆ କାମ, ନୂଆ ଯୋଜନା

ରାଜସ୍ଥାନ: ସାରା ଦେଶରେ ପେଟ୍ରୋଲ-ଡିଜେଲ ଦର ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏଥିରେ ଏଣିକି ମିଳିପାରିବ ରିହାତି । ଏହାସହିତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ସଚେତନତା ମଧ୍ୟ କରାଯାଇ ପାରିବ । ତେବେ ଏ ନେଇ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ଜଣେ ପେଟ୍ରୋଲ ପମ୍ପ ମାଲିକ । ଚିତ୍ତୋଡଗଡ ରୋଡ ସ୍ଥିତ ଛଗନଲାଲ ବାଗତାବରମଲ ପେଟ୍ରୋଲ ପମ୍ପର ମାଲିକ ଅଶୋକ କୁମାର ମୁନ୍ଦଡା ଏଭଳି ଏକ ପଦକ୍ଷେପ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ ଘଟଣା ଏବଂ ତେଲରେ ରିହାତି ପାଇବା ପାଇଁ କ’ଣ ରହିଛି ସର୍ତ୍ତ ।

ଏହି ପେଟ୍ରୋଲ ପମ୍ପରେ ଗ୍ରାହକମାନଙ୍କୁ ପେଟ୍ରୋଲ-ଡିଜେଲରେ ରିହାତି ପ୍ରଦାନ କରାଯାଉଛି । ତେବେ ଏଥିପାଇଁ ଗୋଟିଏ ସର୍ତ୍ତ ରହିଛି । ଅଶୋକଙ୍କର ଏହି ସର୍ତ୍ତ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ସଚେତନତା ସହ ଜଡିତ ହୋଇ ରହିଛି । ଖାଲି କ୍ଷୀର ପ୍ୟାକେଟ ଏବଂ ବୋତଲ ବଦଳରେ ଗ୍ରାହକମାନେ ପେଟ୍ରୋଲ-ଡିଜେଲରେ ରିହାତି ପାଇପାରିବେ । ତେବେ ଏକ ଲିଟର ପେଟ୍ରୋଲରେ ୧ ଟଙ୍କା ରିହାତି ମିଳୁଥିବା ବେଳେ ଡିଜେଲ ଲିଟରରେ ୫୦ ପଇସା ରିହାତି ଦିଆଯିବ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ସଚେତନ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ପେେଟ୍ରୋଲ ପମ୍ପ ମାଲିକ ଅଶୋକ କୁମାର ।

ଗତ ଜୁଲାଇ ୧୫ ତାରିଖରେ ଅଶୋକ ଏକ ତିନି ମାସିକ ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନକୁ ସମର୍ଥନ ଜଣାଇଛନ୍ତି ରାଜ୍ୟର କ୍ଷୀର ବ୍ରାଣ୍ଡ ସରସ ଡାଏରୀ, ଭିଲୱାରା ଜିଲ୍ଲା ପ୍ରଶାସନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏଥି ସହିତ ସରସ ଡାଏରୀ କମ୍ପାନୀ ସଂଗ୍ରହ ହେଉଥିବା ଏହି ଖାଲି ପ୍ୟାକେଟଗୁଡିକୁ ବିସର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏହି ଅଭିଯାନ ଦ୍ୱାରା ପାଖାପାଖି ୭୦୦ ଖାଲି କ୍ଷୀର ପ୍ୟାକେଟ ସଂଗୃହିତ ହୋଇ ସାରିଛି ।

Get real time updates directly on you device, subscribe now.