fbpx

କନ୍ୟାରତ୍ନ ହେବ ଧନରତ୍ନ: କେନ୍ଦ୍ର ସରକାରଙ୍କ ଶାନଦାର ସ୍କିମରେ ନିବେଶ କରନ୍ତୁ, ସନ୍ତାନକୁ ୨୧ ବର୍ଷ ବେଳକୁ ମିଳିବ ୧ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ: ଅଧିକ ଅର୍ଥ ପାଇବା ଆଶାରେ ଆଜିକାଲି ସମସ୍ତେ ଭଲ ନିବେଶ ସ୍କିମର ସନ୍ଧାନରେ ରହିଥାନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି କିଛି ଭଲ ନିବେଶ ଯୋଜନା ରହିଥିବା ବେଳେ କିଛି ଲୋକ ସେ ବାବଦରେ ଭଲରେ ଜାଣିନଥାନ୍ତି । ତେଣୁ ସେମାନେ ସଠିକ୍ ତରିକାରେ ନିବେଶ କରିପାରି ନଥାନ୍ତି । ତେବେ ଆପଣ ଯଦି ଆପଣଙ୍କର ସନ୍ତାନମାନଙ୍କର ଜୀବନକୁ ଖୁସିମୟ କରିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ଏକ ବଢ଼ିଆ ନିବେଶ ବିକଳ୍ପ ରହିଛି ।

କେନ୍ଦ୍ର ସରକାରଙ୍କର ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୱାଇ)ରେ ଚଳିତ ତ୍ରୟମାସ ପାଇଁ ୮.୨ ସୁଧ ହାର ନିର୍ଦ୍ଧାରିତ ହୋଇଛି । ଏହି ଯୋଜନାରେ ନିବେଶ କରି ଆପଣ ନିଜର କନ୍ୟାଙ୍କ ଉଚ୍ଚ ଶିକ୍ଷା ଓ ବିବାହ ପାଇଁ ମୋଟା ଅଙ୍କର ଅର୍ଥ ଜମା କରିପାରିବେ । ଏହା ଏକ ସ୍ୱଳ୍ପ ସଞ୍ଚୟ ଯୋଜନା ଅଟେ । ଗୋଟିଏ ପରିବାରର କେବଳ ୨ ଜଣ କନ୍ୟାଙ୍କ ନାମରେ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ ଖୋଲାଯାଇଥାଏ । ଖାତା ଖୋଲିବା ଠାରୁ ୧୫ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ଅର୍ଥ ଜମା କରିବାକୁ ପଡ଼ିଥାଏ ।

ଆପଣଙ୍କ କନ୍ୟା ଜନ୍ମ ହେବା ପରେ ପରେ ମଧ୍ୟ ଆପଣ ଏହି ସ୍କିମରେ ଖାତା ଖୋଲି ପାରିବେ । ୧୫ ବର୍ଷ ପର୍ଯ୍ୟନ୍ତ ଜମା କରିବା ପରେ ୬ ବର୍ଷର ଲକ-ଇନ୍ ପିରିୟଡ୍ ରହିଥାଏ । ଏହି ଅବସରରେ ଆପଣଙ୍କୁ ନିବେଶ କରିବାକୁ ପଡ଼ିବ ନାହିଁ, ମାତ୍ର ସୁଧ ମିଳିବ । ଆପଣଙ୍କ କନ୍ୟାଙ୍କୁ ୧୮ ବର୍ଷ ହେବା ପରେ ମ୍ୟାଚ୍ୟୁରିଟି ରାଶିର ୫୦ ପ୍ରତିଶତ ଉଠାଇ ପାରିବେ ଓ ୨୧ ବର୍ଷ ହେବା ପରେ ଅବଶିଷ୍ଟ ଅର୍ଥ ଉଠାଇ ପାରିବେ ।

ପ୍ରତି ୩ ମାସରେ କେନ୍ଦ୍ର ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ଘୋଷଣା କରିଥାନ୍ତି । ଚଳିତ ତିନି ମାସ ପାଇଁ ଏହି ଯୋଜନାରେ ୮.୨ ପ୍ରତିଶତ ସୁଧ ମିଳୁଛି । ଏହା ବାର୍ଷିକ ଚକ୍ରବୃଦ୍ଧି ସୁଧ ହାର ଅଟେ । ଆପଣ ଏକ ଆର୍ଥିକ ବର୍ଷରେ ସର୍ବନିମ୍ନ ୨୫୦ ଟଙ୍କାରୁ ଆରମ୍ଭ କରି ୧.୫ ଲକ୍ଷ ପର୍ଯ୍ୟନ୍ତ ଜମା କରିପାରିବେ । ଏପରି ସ୍ଥିତିରେ ଜମା କରିବା ତାରିଖ ଠାରୁ ୨୧ ବର୍ଷ ପର୍ଯ୍ୟନ୍ତ ଆପଣ ପାଖାପାଖି ୨୨.୫ ଲକ୍ଷ ଟଙ୍କା ନିବେଶ କରିବେ । ସେଥିରୁ ଆପଣଙ୍କୁ ପାଖାପାଖି ୪୭ ଲକ୍ଷ ଟଙ୍କା ସୁଧ ଆକାରରେ ମିଳିବ । ଏପରି ଭାବେ ଆପଣ ବର୍ଷକୁ ୧.୫ ଲକ୍ଷ ଟଙ୍କା ନିବେଶ କରି ୨୧ ବର୍ଷ ପରେ ବିନା ଟ୍ୟାକ୍ସରେ ପାଖାପାଖି ୭୦ ଲକ୍ଷ ଟଙ୍କା ପାଇବେ । ଯଦି ଆପଣ ଦୁଇ କନ୍ୟାଙ୍କ ପାଇଁ ନିବେଶ କରିବେ ତେବେ ୧ କୋଟିରୁ ଅଧିକ ଅର୍ଥ ଆପଣଙ୍କ ଆକାଉଣ୍ଟକୁ ଆସିବ । ଏପରି ଭାବେ ନିବେଶ କରି ଆପଣ ନିଜ ସନ୍ତାନଙ୍କର ଓ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇ ପାରିବେ ।

Get real time updates directly on you device, subscribe now.