fbpx

କେନ୍ଦ୍ର ସରକାରଙ୍କ ଏକ ଯୋଜନାରେ ଆପଣ ପାଇପାରିବେ ୧.୩ ଲକ୍ଷର ଫାଇଦା, ମାତ୍ର କରିବାକୁ ହେବ ଗୋଟିଏ କାମ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ସରକାର ବିଭିନ୍ନ ସମୟରେ ଅନେକ ନୂଆ ନୂଆ ଲାଭଦାୟକ ଯୋଜନା ପ୍ରଣୟନ କରିଥାନ୍ତି । ମାତ୍ର ଏହି ଲାଭକାରୀ ଯୋଜନା ବିଷୟରେ ଅଧିକାଂଶ ଲୋକ ଜାଣିନଥିବାରୁ ଏହାର ଫାଇଦା ଉଠାଇ ପାରନ୍ତି ନାହିଁ । ଆପଣମାନେ ଜାଣନ୍ତି କି, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)ରେ ଆପଣ ଆକାଉଣ୍ଟ ଖୋଲି ୧.୩ ଲକ୍ଷ ଟଙ୍କାର ବେନିଫିଟ୍ ପାଇପାରିବେ । ଏହାଛଡ଼ା ଏହି ଯୋଜନାରେ ଦୁର୍ଘଟଣା ବୀମା ମଧ୍ୟ ପ୍ରଦାନ କରାଯାଇଥାଏ ।

ପିଏମଜେଡିୱାଇ ଯୋଜନାରେ ଆକାଉଣ୍ଟଧାରୀଙ୍କୁ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଓ ୩୦ ହଜାର ଟଙ୍କାର ଜେନେରାଲ ଇନସ୍ୟୁରାନ୍ସ ରାଶି ଦିଆଯାଇଥାଏ । ଆକାଉଣ୍ଟଧାରୀଙ୍କ ଦୁର୍ଘଟଣା ଘଟିଲେ ତାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଏ । ଯଦି ମୃତ୍ୟୁ ହୋଇଯାଏ, ତେବେ ମୋଟ ୧.୩୦ ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ଦିଆଯାଇଥାଏ । ପିଏମଜେଡିୱାଇ ପରି ଲାଭଦାୟକ ଆର୍ଥିକ ପ୍ରୋଗ୍ରାମରେ ଜମା ଖାତା, ପେନସନ୍, ବୀମା, ଋଣ ଆଦି ପ୍ରାପ୍ତ ହୋଇଥାଏ । ଜଣେ ବ୍ୟକ୍ତି ଯେ କୌଣସି ବ୍ୟାଙ୍କ ଶାଖା ବା ବ୍ୟାଙ୍କ ମିତ୍ରଙ୍କ ସହାୟତାରେ ଗୋଟିଏ ନୂଆ ଆକାଉଣ୍ଟ ଜିରୋ ବାଲାନ୍ସରେ ଖୋଲି ପାରିବେ । ଜନଧନ ଆକାଉଣ୍ଟ ସାଧାରଣତଃ ପବ୍ଲିକ ସେକ୍ଟର ବ୍ୟାଙ୍କରେ ଅଧିକ ମାତ୍ରାରେ ଖୋଲାଯାଉଥିଲେ ହେଁ ଆପଣ ଚାହିଁଲେ ପ୍ରାଇଭେଟ୍ ବ୍ୟାଙ୍କରେ ଖୋଲିପାରିବେ । ଏହାଛଡ଼ା ଯଦି ଆପଣଙ୍କର କୌଣସି ସେଭିଂ ଆକାଉଣ୍ଟ ରହିଥାଏ, ତେବେ ତାହାକୁ ଆପଣ ଜନଧନ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ । ଦେଶର ୧୦ ବର୍ଷ ବୟସରୁ ଅଧିକ ହୋଇଥିବା ଜଣେ ବ୍ୟକ୍ତି ଏହି ଜନଧନ ଖାତା ଖୋଲିପାରିବ ।

ଜନଧନ ଖାତା ଖୋଲିବା ପାଇଁ କେୱାଇସି ପାଇଁ କିଛି ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିଥାଏ । ଏହି ଡକ୍ୟୁମେଣ୍ଟ ସହାୟତାରେ ଖାତା ଖୋଲାଯାଇଥାଏ । ସେଗୁଡ଼ିକ ମଧ୍ୟରେ ଆଧାର କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି କାର୍ଡ, ପାସପୋର୍ଟ, ମନରେଗା ଜବ କାର୍ଡ ରହିଛି। ଜନଧନ ଖାତା ଖୋଲିଲେ ସର୍ବନିମ୍ନ ବାଲାନ୍ସ, ସେଭିଂ ଆକାଉଣ୍ଟ ପରି ସୁଧ, ମୋବାଇଲ ବ୍ୟାଙ୍କିଂ, ୨ ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟଣା ବୀମା, ୧୦ ହଜାର ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ, କ୍ୟାସ କାଢ଼ିବା ଓ ସପିଂ ପାଇଁ ରୂପେ କାର୍ଡ ପ୍ରଦାନ ପରି ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହୋଇଥାଏ ।

Get real time updates directly on you device, subscribe now.