ଝାମୁଯାତ୍ରାରେ ବଡ଼ ବିଭ୍ରାଟ, ଯାତ୍ରା ପାଇଁ ପ୍ରସ୍ତୁତି ବେଳେ ଟଳି ପଡିଲେ କାଳେସୀ, ଗାଁରେ ଖେଳିଗଲା ଦୁଃଖର ଛାୟା

ନିମାପଡ଼ା (ଭାସ୍କର ନ୍ୟୁଜ୍‌): ପଣାଯାତ୍ରା ଆରମ୍ଭ ହେବା ପୂର୍ବରୁ ଟଳି ପଡ଼ିଲେ କାଳେସି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଳଙ୍ଗା ଥାନା ଅନ୍ତର୍ଗତ ଉଚ୍ଛୁୁର ବଧି ଗ୍ରାମରେ । ମୃତ କାଳେସୀ ଜଣକ ହେଉଛନ୍ତି ବିଧିଗ୍ରାମର ରବି ଭୋଇ (୫୦) ବୋଲି ଜଣାପଡ଼ିଛି ।

ଘଟଣାରୁ ପ୍ରକାଶ ଯେ, ବଧି ଗ୍ରାମରେ ପୂଜା ପାଉଥିବା ମା’ ମଙ୍ଗଳା ଦୁଲାଦେଇଙ୍କର କାଳେସୀ ଭାବେ ରବିଙ୍କ ଠାରେ ୮ବର୍ଷ ହେଲା ଉଭା ହେଉଥିଲେ । ତେବେ ଗୁରୁବାର ଗ୍ରାମରେ ହେଉଥିବା ଝାମୁଯାତ୍ରା ପାଇଁ ଅପରାହ୍ନ ୨ଟାରେ ଠାକୁରଙ୍କ ଆଜ୍ଞାମାଳ ନେଇ ଭକ୍ତମାନେ ଘଂଟ ବଜାଇ ରବିଙ୍କ ଘରକୁ ଯାଇଥିଲେ । ନିଦରେ ଶୋଇଥିବା ରବି ଘଂଟ ଶବ୍ଦ ଶୁଣି ବାହାରକୁ ଆସି ନିଜକୁ ପ୍ରସ୍ତୁତ କରୁଥିବା ବେଳେ ହଠାତ୍‌ ସେହିଠାରେ ଟଳି ପଡ଼ିଥିଲେ । ଏଭଳି ଅବସ୍ଥା ଦେଖି ଗ୍ରାମବାସୀମାନେ ରବିଙ୍କୁ ସଂଗେ ସଂଗେ ଚିକିତ୍ସା ନିମେନ୍ତ ପ୍ରଥମେ ବଳଙ୍ଗା ଓ ପରେ ସାକ୍ଷୀଗୋପାଳ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିଙ୍କ ମୃତ୍ୟୁ ହୃଦ୍‌ଘାତରେ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଶୁକ୍ରବାର ପୁରୀ ଡ଼ାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି । ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଝାମୁଯାତ୍ରା ବନ୍ଦ ରହିଥିଲା ।