fbpx
BJD SKY
BJD SKY

ଛାତି ପାଖ ଶ୍ୱାସନଳୀରେ ଅଟକି ରହିଥିଲା ୧.୫ ସେମିର ଲୁହା ନଟ୍: ଏମିତି ବାହାର କଲେ ଡାକ୍ତର

BJD

ଶ୍ୱାସନଳୀରୁ ବାହାରିଲା ଲୁହା ନଟ୍ । ଜଣେ ବ୍ୟକ୍ତିଙ୍କର ଛାତି ପାଖ ଶ୍ୱାସନଳୀରୁ ୧.୫ ସେଣ୍ଟିମିଟରର ଏକ ଲୁହା ନଟ୍ ବାହାରିଥିବା ଦେଖାଯାଇଛି । ମେଡିକାଲ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଏକ ବିରଳ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କ ଛାତିପାଖ ଶ୍ୱାସନଳୀରେ ଅଟକି ରହିଥିବା ୧.୫ ସେମିର ଲୁହା ନଟ୍ ବାହାର କରିଛନ୍ତି ଡାକ୍ତର । ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ବଳରେ ମାତ୍ର ୧୫ ମିନିଟରେ ଲୁହା ନଟ୍ ବାହାରି ପାରିଛି ।

ସୂଚନା ଅନୁସାରେ, କୋଏମ୍ବାଟୁର ମେଡିକାଲ କଲେଜ ହସ୍ପିଟାଲର ଡାକ୍ତରମାନେ ଏପରି ଏକ ଅଦ୍ଭୁତ କାରନାମା କରି ଦେଖାଇଛନ୍ତି । ଜଣେ ବ୍ୟକ୍ତିଙ୍କ ଛାତିପାଖ ଶ୍ୱାସନଳୀରୁ ଏହି ଲୁହା ନଟ୍ ବାହାର କରିବାକୁ ସକ୍ଷମ ହୋଇଛନ୍ତି ଏଠାକାର ଡାକ୍ତର । ପୂର୍ବରୁ ମେଡିକାଲ ବିଜ୍ଞାନରେ ଏପରି ଘଟଣା ଖୁବ କ୍ୱଚିତ ବା ଆଦୌ ଦେଖିବାକୁ ମିଳି ନଥିଲା । କୋଏମ୍ବାଟୁର କୁନିୟାମୁଥୁର ଅଞ୍ଚଳରେ ରହୁଥିବା ୫୫ ବର୍ଷୀୟ ସାମସୁତିନଙ୍କ ବାମ ପଟ ଛାତି ପାଖରେ ଥିବା ମୁଖ୍ୟ ଶ୍ୱାସନଳୀରୁ ଏହି ଲୁହା ନଟ ବାହାର କରାଯାଇଛି । ସାମସୁତିନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ କଫ ଜନିତ ସମସ୍ୟାରେ ପଡ଼ିଥିଲେ । ଅକ୍ଟୋବର ୧୮ରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କୋଏମ୍ବାଟୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସିଟି ସ୍କାନରୁ ଶ୍ୱାସନଳୀରେ ନଟ ଅଟକି ଥିବା ଜଣାପଡ଼ିଥିଲା ।

ସାମସୁତିନ କାମ ସମୟରେ ଭୁଲ ବଶତଃ ଲୁହା ନଟକୁ ଗିଳି ଦେଇଥିଲେ ମଧ୍ୟ ଜାଣି ନଥିଲେ । ନଟ୍ ଲାଖିଯିବା ଯୋଗୁଁ ଫୁସଫୁସକୁ ଠିକ୍ ଭାବେ ପବନ ଯାଇ ପାରୁ ନଥିଲା । ଯାହାଫଳରେ ତାଙ୍କୁ ଶ୍ୱାସକ୍ରିୟାରେ ବାଧା ହେଉଥିଲା ବୋଲି କହିଛନ୍ତି ସିଏମସିଏଚର ଡାକ୍ତର ଡିନ୍ ଏ ନିର୍ମଳା । ତାଙ୍କର ସଙ୍କଟାପନ୍ନ ଅବସ୍ଥା ଦେଖି ତୁରନ୍ତ ଅପରେସନ ଥିଏଟରରେ ଭର୍ତ୍ତି କରିଥିଲେ ଡାକ୍ତର । କିନ୍ତୁ ଶ୍ୱାସନଳୀରୁ ନଟ୍ ବାହାର କରିବା ଏକ ସାଧାରଣ ପ୍ରକ୍ରିୟା ନଥିଲା । ଏହି ପ୍ରିକ୍ରିୟାରେ ବିଳମ୍ବ ଏବଂ ତ୍ରୁଟି ହେଲେ ସାଂଘାତିକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିଲା ।

ମାତ୍ର ଇଏନଟି ବିଭାଗର ମୁଖ୍ୟ ଡାକ୍ତର ଅଲୀ ସୁଲତାନାଙ୍କ ନେତୃତ୍ୱାଧୀନ ଟିମ୍ ଏହାକୁ ସଫଳ କରି ଦେଖାଇଲେ । ମାତ୍ର ୧୫ ମିନିଟ୍ ମଧ୍ୟରେ ବ୍ୟକ୍ତିଙ୍କ ଶ୍ୱାସନଳୀରୁ ନଟକୁ ସଫଳତାର ସହ ବାହାର କରାଯାଇଛି । ନଟ ବାହାରିବା ପରେ ସାମସୁତିନ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି । ଅନ୍ୟପଟେ ଏତେ କମ ସମୟରେ ଅତି ସହଜରେ ବ୍ୟକ୍ତିଙ୍କ ଶ୍ୱାସନଳୀରୁ ନଟ୍ ବାହାର କରିଥିବା ଡାକ୍ତର ମାନଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.