ଅନ୍ଧାରରେ ଭବିଷ୍ୟତ ! ୧୨ ମାସରେ ୧୦୦ କୋଟି ପିଲା ହେଉଛନ୍ତି ହିଂସାର ଶିକାର

ୱାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଶିଶୁଙ୍କ ଉପରେ ହେଉଥିବା ହିଂସାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଡରାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ପ୍ରତିବର୍ଷ ବିଶ୍ୱରେ ୧୦୦ କୋଟି ଶିଶୁ ହିଂସାରେ ପ୍ରଭାବିତ ହୋଇଛନ୍ତି ।  ଯୌନ ଉତ୍ପିଡ଼ନ, ଡରାଇବା, ଶରୀରିକ ତଥା ମାନସିକ ନିର୍ଯାତନା ଇତ୍ୟାଦି ହିଂସାରେ ଅନ୍ତର୍ଭୁକ୍ତ । ପ୍ରତି ୧୩ ମିନିଟରେ ଜଣେ ପିଲା ହତ୍ୟାର ଶିକାର ହେଉଛି । ପ୍ରତିବର୍ଷ ବିଶ୍ୱରେ ହାରାହାରି ୪୦ ହଜାର ଶିଶୁଙ୍କ ହତ୍ୟା କରାଯାଉଛି । ପ୍ରଭାବିତ ହେଉଥିବା ପିଲାଙ୍କ ଭିତରୁ ଅଧା ନିଜ ଉପରେ ହେଉଥିବା ଅତ୍ୟାଚାର ତଥା ହିଂସା ସମ୍ପର୍କରେ ଅନ୍ୟକୁ ଜଣାଉଛନ୍ତି । ପିଡ଼ୀତ ଶିଶୁଙ୍କ ଭିତରୁ ମାତ୍ର ୧୦% ପିଲା କୌଣସି ପ୍ରକାର ସହାୟତା ପାଉନାହାନ୍ତି ।

ଡବ୍ଲୁ୍ୟଏଚଓ ରିପୋର୍ଟ ଆଧାରରେ ପ୍ରତି ୧୦ ଜଣଙ୍କ ଭିତରୁ ୯ ଜଣ ଶିଶୁ ଏଭଳି ଦେଶରେ ବାସ କରୁଛନ୍ତି, ଯେଉଁଠାରେ ଶିଶୁ ନିର୍ଯାତନ ବହୁ ଦିନରୁ ଚାଲିଆସୁଛି । କିଛି ଏମିତି ଦେଶ ରହିଛି ଯେଉଁଠାରେ ଶରୀରିକ ଦଣ୍ଡ ବା ଯୌନ ନିର୍ଯାତନା ଆଇନ୍ଗତ ଭାବେ ବନ୍ଦ ହୋଇ ନାହିଁ । ହିଂସାର ଶିକାର ହେବା ପରେ କମ୍ ବୟସର ପିଲା ଆଙ୍ଗଜାଇଟି, ଡିପ୍ରେସନ୍, ଧୂମ୍ରପାନ ଆଦି କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ପିଲାଙ୍କ ହୀତ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଶ୍ୱର ପାଖାପାଖି ୧୦୦ ଦେଶ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେମାନଙ୍କ ଭିତରୁ ୯ ଦେଶ ଶରୀରିକ ଦଣ୍ଡକୁ ବ୍ୟାନ୍ କରିଛନ୍ତି । ପ୍ରତି ୫ ପିଲାଙ୍କ ଭିତରୁ ୩ ଜଣ ପ୍ରତ୍ୟେକ ଦିନ ଘରେ ଶରୀରିକ ଭାବେ ଦଣ୍ଡିତ ହେଉଥିବାବେଳେ ପ୍ରତି ୫ ଝିଅ ପିଲାଙ୍କ ଭିତରୁ ଜଣେ ଓ ୭ ପୁଅ ପିଲାଙ୍କ ଭିତରୁ ଜଣେ ଯୌନ ଉତ୍ପିଡନର ଶିକାର ହେଉଛନ୍ତି । ସେହିପରି ୨୫%ରୁ ୫୦% ଶିଶୁଙ୍କୁ କୌଣସି କାରଣରୁ ଡରାଧମକା କରାଯାଉଛି । ଏହି ସବୁ ହିଂସାତ୍ମକ କାର୍ଯ୍ୟ ପାଇଁ କିଛି ପିଲାଙ୍କୁ ଶରୀରିକ ଭାବେ ଗଭୀର ଆଘାତ ଲାଗୁଥିବାବେଳେ କିଛି ମୃତୁ୍ୟ ବରଣ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ।

ଏ ପ୍ରକାର ଘଟଣାକୁ ରୋକିବା ତଥା ଏହାର ମାତ୍ରା କମାଇବା ପାଇଁ ଘର ଲୋକଙ୍କ ସମେତ ସରକାରଙ୍କୁ ମଧ୍ୟ ସଚେତନ ହେବାକୁ ପଡ଼ିବ । ଉଭୟଙ୍କୁ ଏମିତି କିଛି ପନ୍ଥା ଆପଣାଇବାକୁ ପଡ଼ିବ ଯାହା ଦ୍ୱାରା ଶିଶୁଙ୍କ ପ୍ରତି ହେଉଥିବା ହିଂସା ୨୦ରୁ ୫୦% କମିଯିବ । ଜାତିସଂଘରେ ଶିଶୁ ଅଧିକାର ପ୍ରସଙ୍ଗ ଉପରେ ଆଲୋଚନା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଶିଶୁ ହିଂସା କମାଇବା ଦିଗରେ ପଦକ୍ଷେପ ନେବା ଲାଗି ଆହ୍ୱାନ ଦେଇଛି ।