fbpx

ଏହି ସହରରେ ଲିଟର ପିଛା ୧ ଟଙ୍କାରେ ମିଳୁଛି ପେଟ୍ରୋଲ, ଭରିବାକୁ ଲାଗିଛି ଲମ୍ବା ଲାଇନ୍

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ମଧ୍ୟରେ ମୁମ୍ବାଇ ଥାନେରେ ଲିଟର ପିଛା ୧ ଟଙ୍କାରେ ମିଳୁଛି ପେଟ୍ରୋଲ । ଆପଣଙ୍କୁ ମିଛ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ । ସେଠାରେ ପେଟ୍ରୋଲ ଭରିବାକୁ ଲୋକମାନେ ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି ।

ତେବେ ବିଧାୟକ ପ୍ରତାପ ସରନାଏକଙ୍କ ଜନ୍ମଦିନ ଅବସରରେ ଥାନେ ସ୍ଥିତ ପେଟ୍ରୋଲ ପମ୍ପରେ ଲିଟର ପିଛା ୧ ଟଙ୍କାରେ ପେଟ୍ରୋଲ ଦିଆଯାଇଥିଲା । ଏହିପରି ଶସ୍ତା ଦାମରେ ପେଟ୍ରୋଲ ଦେବାର ଶୁଭାରମ୍ଭ ଥାନେ ନଗର ନିଗମର ପୂର୍ବତନ କାଉନସିଲର ଆଶା ଡୋଙ୍ଗେରେ ସମାଜସେବୀ ସନ୍ଦୀପ ଡୋଙ୍ଗେରେ ଓ ଅବଦୁଲ ସଲାମଙ୍କ ମିଶି କରିଥିଲେ । ଏହି ଅବସରରେ ପାଖାପାଖି ୧୦୦୦ ଗାଡ଼ି ଚାଳକଙ୍କୁ ଲିଟର ପିଛା ୧ ଟଙ୍କାରେ ପେଟ୍ରୋଲ ଦିଆଯାଇଥିଲା । ପେଟ୍ରୋଲ ଭରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଟୁ-ହ୍ୱିଲର ଚାଳକ ଥିବା ଜଣାପଡିଛି ।

ତେବେ ଗତ ୨୦ ଦିନ ହେବ ଦେଶର ବଡ଼ ବଡ଼ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ରେଟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୧୨୦.୫୧ ଟଙ୍କା ହୋଇଥିବା ବେଳେ ଡିଜେଲ ୧୦୪.୭୭ ଟଙ୍କା ରହିଛି । ଏପରି କ୍ଷେତ୍ରରେ ୧୦୦୦ ଗାଡ଼ି ଚାଳକଙ୍କୁ ୧ ଟଙ୍କା ପେଟ୍ରୋଲ ଦେବା ସେମାନଙ୍କୁ ବଡ଼ ଆରାମ ଦେବ । ସୂଚନାଯୋଗ୍ୟ ଯେ, ଗତମାସରେ ବିଧାୟକ ପ୍ରତାପ ସରନାଏକଙ୍କ ୧୧.୩୫ କୋଟି ଟଙ୍କା ସମ୍ପତ୍ତି ଜବତ କରାଯାଇଥିଲା । ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ କରାଯାଇଥିଲା ।

Get real time updates directly on you device, subscribe now.