fbpx

୧୦ ଲକ୍ଷରେ ପହଞ୍ଚିଲା ୟୁକ୍ରେନ ଶରଣାର୍ଥୀଙ୍କ ସଂଖ୍ୟା, ସପ୍ତାହକ ମଧ୍ୟରେ ଦେଶ ଖାଲି କରିସାରିଲେଣି ନାଗରିକ

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଘନଘନ ବୈଠକ ଓ ଆଲୋଚନା-ପର୍ଯ୍ୟାଲୋଚନା ପରେ ବି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି । ୟୁକ୍ରେନର ସ୍ଥିତି ବର୍ତ୍ତମାନ ଶୋଚନୀୟ ହେବାରେ ଲାଗିଛି । ହୃଦୟଥରା ଭିଡିଓ ଓ ଛବି ସବୁ ସାମନାକୁ ଆସୁଛି । ନାଗରିକ ମାନେ ପ୍ରାଣ ଭୟରେ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ଭାରତ ମଧ୍ୟ ନିଜ ନାଗରିକ ମାନଙ୍କୁ ୟୁକ୍ରେନରୁ ଫେରାଇବା ଚେଷ୍ଟା ଜାରି ରଖିଛି । ତେବେ ଇତି ମଧ୍ୟରେ ଏକ ରିପୋର୍ଟ ସାମନାକୁ ଆସିଛି ।

ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି କହିଛି ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅର୍ଥାତ୍ ୭ ଦିନ ମଧ୍ୟରେ ୟୁକ୍ରେନର ୧୦ ଲକ୍ଷ ନାଗରିକ ଦେଶ ଛାଡ଼ି ପଳାୟନ କରିଛନ୍ତି । ଅର୍ଥାତ୍ ଏକ ସପ୍ତାହ ମଧ୍ୟରେ ୟୁକ୍ରେନ ଜନସଂଖ୍ୟାର ୨ ପ୍ରତିଶତ ଭାଗ ସେଠାରୁ ପଳାଇଯାଇଛନ୍ତି । ଏହା ବ୍ୟତୀତ ମିଳିତ ଜାତିସଂଘର ଏହି ଏଜେନ୍ସି ଅନୁମାନ କରିଛନ୍ତି ଯେ, ୪୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ିପାରନ୍ତି । ଏନେଇ ଶରଣାର୍ଥୀ ଏଜେନ୍ସିର ମୁଖପାତ୍ର ଜଙ୍ଗ-ଆହ ଗେଦୀନି-ୱିଲିୟମ୍ ସୂଚନା ଦେଇଛନ୍ତି ।

ଅନ୍ୟପଟେ ୟୁଏନଏଚସିଆର୍ ପ୍ରବକ୍ତା ସାବିୟା ମଣ୍ଟୋ ବୁଧବାର ଦିନ କହିଛନ୍ତି ଯେ, ଯଦି ୟୁକ୍ରେନରେ ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଏ ତାହେଲେ ଏହା ଶତାବ୍ଦୀର ସବୁଠାରୁ ବଡ଼ ଶରଣାର୍ଥୀ ସଙ୍କଟ ଭାବରେ ଉଭା ହେବ । ସୂଚନାଯୋଗ୍ୟ, ୟୁକ୍ରେନର ଏକାଧିକ ସହର ଉପରେ ରୁଷ କବଜା କରିସାରିଲାଣି । ଗତକାଲି ଅନ୍ୟତମ ବଡ଼ ସହର ଖେରସନ୍ ଅକ୍ତିଆର କରିଛି ରୁଷ । ଅନ୍ୟପଟେ ଦେଶର ମୁଖ୍ୟ ରେଳ ଷ୍ଟେସନ୍ କୁ ବି ଛିନ୍ ଛତ୍ର କରିଦେଇଛନ୍ତି ପୁଟିନଙ୍କ ସେନା ।

Get real time updates directly on you device, subscribe now.