fbpx

ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କାହିଁକି ଚୟନ କରାଗଲା? ଏହା ପଛରେ ରହିଛି ବିଜେପିର ୧୦ଟି ସିକ୍ରେଟ ରଣନୀତି

ନୂଆଦିଲ୍ଲୀ: ଶେଷରେ ଛତିଶଗଡ଼ ପରି ସମାନ ଫର୍ମୂଲା ମଧ୍ୟପ୍ରଦେଶରେ ଲାଗୁ କରିଛି ବିଜେପି । ଛତିଶଗଡ଼ରେ ଜଣେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବା ସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଥିଲା । ସମାନ ଭାବେ ମଧ୍ୟପ୍ରଦେଶରେ ଦଳ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା ସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି । ତେବେ ଅନେକ ବରିଷ୍ଠ ନେତା ଥାଉଥାଉ ମୋହନଙ୍କୁ ସିଏମ୍ ଭାବେ ବାଛିବା ପଛରେ ବିଜେପିର ଅନେକ ସିକ୍ରେଟ ରଣନୀତି ରହିଛି ।

୧- ରାଜ୍ୟରେ ଶିବରାଜ ସିଂହ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କୈଲାସ ବିଜୟବର୍ଗୀୟ, ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲଙ୍କ ପରି ଅନେକ ଦାବିଦାର ରହିଥିଲେ ବି ମୋହନଙ୍କୁ ସିଏମ୍ ଭାବେ ବାଛିବା ପଛରେ ନରେନ୍ଦ୍ର ମୋଦୀ- ଅମିତ ଶାହଙ୍କର ୨୦୨୪ ପାଇଁ କିଛି ବଡ଼ ଯୋଜନା ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

୨- ଆଗକୁ ୨୦୨୪ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦଳ ଦେଖିଚାହିଁ ରଣନୀତି ପ୍ରସ୍ତୁତ କରୁଛି । ପୁଣି ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ନିର୍ବାଚନରେ ବିଜେପି ଠାରୁ କଂଗ୍ରେସ ୧୦ ଲକ୍ଷରୁ ଅଧିକ ଭୋଟ ପାଇଥିବା ନିର୍ବାଚନ କମିଶନ ରିପୋର୍ଟ ଦେଇଛନ୍ତି । ଏହା ଦଳର ଚିନ୍ତା ବଢ଼ାଇ ଦେଇଛି ।

୩- ୨୦୧୭ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ବିଜେପି ୯ ଦିନରୁ ଅଧିକ ସମୟ ନେଇଥିବା ବେଳେ ଶେଷରେ ନୂଆ ଚେହେରା ଯୋଗୀ ଆଦିତ୍ୟନାଥଙ୍କ ନାମରେ ମୋହର ବାଜିଥିଲା । ତେବେ ମଧ୍ୟପ୍ରଦେଶରେ ସିଏମ ବାଛିବା ପାଇଁ ଦଳ ୮ ଦିନ ସମୟ ନେଇଥିବା ବେଳେ ତା’ ପଛରେ ନିଶ୍ଚିତ ଭାବେ ପିଛି ବଡ଼ ସିକ୍ରେଟ ରହିଥିବା ଅନୁମାନ କରାଯାଉଛି ।

୪- ଗତ ୨୦୧୮ ବିଧାନସଭା ନିର୍ବାଚନରେ ଦଳ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଆଦି ୩ଟି ରାଜ୍ୟରେ ପରାସ୍ତ ହୋଇଥିଲେ ହେଁ ଲୋକସଭାରେ କମାଲ୍ କରିଥିଲା । ୨୦୧୯ ଲୋକସଭା ନିର୍ବାଚନରେ ଏହି ୩ଟି ରାଜ୍ୟର ମୋଟ ୬୫ଟି ଆସନରୁ ବିଜେପି ୬୧ଟିରେ ଜିତିଥିଲା । ତେଣୁ ପୁରୁଣା ପ୍ରଦର୍ଶନ ବଜାୟ ରଖିବାକୁ ବିଜେପି ନୂଆ ରଣନୀତି ଆପଣାଇ ଥାଇପାରେ ।

୫- ମୋହନ ଜଣେ ଓବିସି ସମ୍ପ୍ରଦାୟର ନେତା ହୋଇଥିବାରୁ ୨୦୨୪ ନିର୍ବାଚନରେ ବିଜେପି ଇଣ୍ଡିଆ ମହାମେଣ୍ଟର ପ୍ରମୁଖ ନେତା ଅଖିଳେଶ ଯାଦବ ଓ ରାଷ୍ଟ୍ରୀୟ ଜନତା ଦଳର ଯାଦବ ଚେହେରାଙ୍କୁ ଟକ୍କର ଦେବା ଲକ୍ଷ୍ୟରେ ରହିଛି । ମୋହନଙ୍କୁ ବାଛିବା ଫଳରେ ପଡ଼ୋଶୀ ରାଜ୍ୟମାନଙ୍କରେ ଦଳକୁ ଫାଇଦା ମିଳିପାରେ ।

୬- ମଧ୍ୟପ୍ରଦେଶରେ ୫୨ ପ୍ରତିଶତ ଜନସଂଖ୍ୟା ଓବିସି ସମ୍ପ୍ରଦାୟର ରହିଛନ୍ତି । ନିକଟରେ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ଏହି ସମ୍ପ୍ରଦାୟର ବିପୁଳ ଭୋଟ ବିଜେପି ଖାତକୁ ଯାଇଥିଲା । ତେଣୁ ଦଳ ମୋଟ ୨୩୦ଟି ଆସନରୁ ୧୬୩ଟି ଜିତିପାରିଥିଲା ।

୭- ମୋହନ ମହାକାଳ ମନ୍ଦିରର ସହର ଉଜୈନର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ହିନ୍ଦୁତ୍ୱ ରାଜନୀତିର ସମର୍ଥକ ଭାବେ ଗ୍ରହଣ କରାଯାଉଛି । ତେଣୁ ତେଣୁ ସେହି ଲକ୍ଷ୍ୟରେ ଦଳ ତାଙ୍କୁ ଆଗକୁ ଆଣିଥିବା କୁହାଯାଉଛି ।

୮- ମୋହନ ରାଷ୍ଟ୍ରୀୟ ସ୍ୱୟଂସେବକ ମହାସଂଘ (ଆରଏସଏସ) ପୃଷ୍ଠଭୂମିରୁ ଆସିଥିବାରୁ ସେ ହାଇକମାଣ୍ଡଙ୍କର ଅଧିକ ଗ୍ରହଣୀୟ ହୋଇପାରିଥିବା କୁହାଯାଉଛି । ଆରଏସଏସ ସହ ଜଡ଼ିତ ଅନେକ ନେତା ଅତୀତରେ ଶୀର୍ଷ ପଦ ପାଇଥିବା ଦେଖାଯାଇଛି ।

୯- ମୋହନଙ୍କୁ ସିଏମ୍ ଭାବେ ବାଛିବା ଫଳରେ ଏହାର ପ୍ରଭାବ ଉତ୍ତରପ୍ରଦେଶ ଓ ବିହାରର ୧୨୦ଟି ଲୋକସଭା ଆସନରେ ଦେଖିବାକୁ ମିଳିପାରେ । କାରଣ ଏହିସବୁ ଆସନଗୁଡ଼ିକରେ ଯାଦବଙ୍କ ସଂଖ୍ୟା ବହୁତ ରହିଛି ।

୧୦- ୟୁପିରେ ମୁଲାୟମ ସିଂହ ଯାଦବ ଓ ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଯାଦବ ସମ୍ପ୍ରଦାୟରୁ ବହୁସଂଖ୍ୟାରେ ଭୋଟ ମିଳୁଛି । ତେଣୁ ମଧ୍ୟପ୍ରଦେଶରେ ଜଣେ ଯାଦବ ଚେହେରାକୁ ଆଗକୁ ଆଣି ବିଜେପି ପୁରୁଣା ଧାରଣାକୁ ବଦଳାଇବା ଲକ୍ଷ୍ୟରେ ରହିଥିବା କୁହାଯାଉଛି ।

Get real time updates directly on you device, subscribe now.