‘ବିଟିଂ ରିଟ୍ରିଟ୍’ ସମାରୋହରେ ଆଜି ଝଲସି ଉଠିବ ଦିଲ୍ଲୀ ଆକାଶ, ଆକର୍ଷଣର କେନ୍ଦ୍ର ପାଲଟିବ ଡ୍ରୋନ ଶୋ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବିଜୟ ଚୌକରେ ଶନିବାର ଆୟୋଜିତ ହେବ ବିଟିଂ ରିଟ୍ରିଟ୍ ସମାରୋହ। ଏହି ଅବସରରେ ପ୍ରଥମ ଥର ଡ୍ରୋନ ଶୋରେ ଝଲସି ଉଠିବ ରାଜଧାନୀର ଆକାଶ। ଏକ ହଜାର ଡ୍ରୋନକୁ ନେଇ ସ୍ଵତନ୍ତ୍ର ଏବଂ ଆକର୍ଷଣୀୟ କାର୍ଯ୍ୟକ୍ରମ  ଆୟୋଜିତ ହେବ। ଏହା ହିଁ ହେବ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିବ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି, ଶନିବାର ନୂଆଦିଲ୍ଲୀର ବିଜୟ ଚୌକରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ତଥା ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାମନାଥ କୋବିନ୍ଦ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ସାମିଲ୍ ହେବେ।

ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୦ ମିନିଟର ଏହି ଡ୍ରୋନ ଶୋ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହାକୁ କେନ୍ଦ୍ର ସରକାର ‘ମେକ୍ ଇନ୍ ଇଣ୍ଡିଆ’ ଥିମ ଆଧାରରେ ଡିଜାଇନ, ନିର୍ମାଣ ଏବଂ କୋରିଓଗ୍ରାଫ କରାଯାଇଛି। ଏହି ୧୦ ମିନିଟର ଅବଧିରେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରାୟ ୧୦୦୦ ଡ୍ରୋନ ଶୋ ସମୟରେ ସିଙ୍କ୍ରୋନାଇଜଡ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ସହ ତାଳ ଦେଇ ଉଡାଣ ଭରିବେ।

ମନ୍ତ୍ରଣାଳୟ ଅନୁଯାୟୀ, ବିଟିଂ ରିଟ୍ରିଟ୍ ଅବସରରେ ମାର୍ଶଲ ସଙ୍ଗୀତ ଧୂନ ପରିବେଷଣ କରାଯିବ। ଭାରତୀୟ ସେନା, ନୌସେନା, ବାୟୁସେନା ଏବଂ ସିଆରପିଏଫର ବ୍ୟାଣ୍ଡ ଦ୍ଵାରା ସଙ୍ଗୀତ ସହିତ ୨୬ ପ୍ରଦର୍ଶନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ। ଏହି କାର‌୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ନ ୨ଟାରୁ ରାତି ୯ଟା ୩୦ ପର‌୍ୟ୍ୟନ୍ତ ବିଜୟ ଚୌକର ଆଖପାଖ ଅଞ୍ଚଳରେ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି।