fbpx

ବଡ଼ ଦୁର୍ଘଟଣା: ଡଙ୍ଗା ବୁଡ଼ି ୧୦୩ ଜଣ ବରଯାତ୍ରୀଙ୍କ ମୃତ୍ୟୁ, ୯୭ ଜଣ ନିଖୋଜ

ନୂଆଦିଲ୍ଲୀ: ଗୋଟିଏ ଡଙ୍ଗା ଅଚାନକ ଦୁର୍ଘଟଣାଗ୍ରସ୍ତ ହେବାରୁ ଶତାଧିକ ଲୋକଙ୍କ ଜୀବନ ଚାଲିଯାଇଛି । ନାଇଜେରିଆରୁ ଆସିଛି ଏଭଳି ଏକ ଦୁଃଖଦ ତଥା ଛାତିଥରା ଘଟଣା । ଏହି ଦୁର୍ଘଟଣାରେ ୧୦୩ ଜଣ ବରଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଫେରୁଥିବା ବେଳେ ଘଟିଥିଲା ଏହି ଅଘଟଣ । ତେବେ ଅନ୍ୟ ୯୭ ଜଣ ଯାତ୍ରୀ ନିଖୋଜ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର ନେଇ ଅପରେସନ ଜାରି ରହିଛି ।

ସୂଚନା ମୁତାବକ, ପଡ଼ୋଶୀ ନାଇଜର ରାଜ୍ୟରୁ ଏକ ବିବାହ ଭୋଜିରେ ଯୋଗଦେଇ ବରଯାତ୍ରୀମାନେ ନିଜ ରାଜ୍ୟକୁ ଫେରୁଥିଲେ । ମାତ୍ର ଏହି ସମୟରେ ଅଚାନକ ଘଟିଥିଲା ଏକ ବଡ଼ ଅଘଟଣ । କେନ୍ଦ୍ରୀୟ ନାଇଜେରିଆରେ ଡଙ୍ଗା ବୁଡ଼ି କାରଣରୁ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଡଙ୍ଗାରେ ଅନେକ ପରିବାରର ସଦସ୍ୟମାନେ ଯାତ୍ରା କରୁଥିଲେ । ମାତ୍ର ଏହି ଦୁଃଖଦ ଦୁର୍ଘଟଣା ପରେ ଏବେ ସେମାନଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳିଯାଇଛି ।

କ୍ୱାରା ରାଜ୍ୟରେ ଏହି ଅଘଟଣ ଘଟିଥିବା ଅଫିସିଆଲ ଭାବେ କୁହାଯାଇଛି । ତେବେ ଓଭରଲୋଡିଂ କାରଣରୁ ଡଙ୍ଗାଟି ବୁଡ଼ିଯାଇଥିବା ଅନୁମାନ କରାଯାଉଛି । ଏଥିସହିତ ସୁରକ୍ଷା ନିୟମ ଉଲ୍ଲଂଘନ ଓ ବର୍ଷାଋତୁରେ ପ୍ରବଳ ବନ୍ୟା ମଧ୍ୟ ଏଥିରେ ବାଧକ ସାଜିଥିଲା । ତେବେ ପାଖାପାଖି ୧୦୦ ଜଣଙ୍କୁ ଏବେ ବୋଟରୁ ଉଦ୍ଧାର କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟପାତ୍ର ଫୋନ ଯୋଗେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଆଗକୁ ଆହୁରି ଅନେକ ଯାତ୍ରୀ ଉଦ୍ଧାର ହୋଇପାରନ୍ତି । ସୂଚନାଯୋଗ୍ୟ ଯେ, ଗତ ମାସରେ ୧୫ ଜଣ ଶିଶୁ ବୁଡ଼ିଯିବା ସହିତ ଅନ୍ୟ ୨୫ ଜଣ ନିଖୋଜ ହୋଇଯାଇଥିଲେ । ସେହିପରି ଗତବର୍ଷ ପ୍ରାରମ୍ଭରେ ୨୯ ଜଣ ଶିଶୁ ମଧ୍ୟ ନଦୀରେ ବୁଡ଼ି ଯାଇଥିଲେ । ଗତ ଡିସେମ୍ବର ମାସଠାରୁ ଏଯାବତ ୭୬ ଜଣ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.