fbpx

ଅନ୍ୟ ରାଜ୍ୟରେ BJP ଜିତିଲା, ମାତ୍ର କର୍ଣ୍ଣାଟକରେ ହାରିଲା: ଭାଜପା ହାରିବା ପଛରେ ରହିଛି ୧୧ଟି ମୁଖ୍ୟ କାରଣ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । କର୍ଣ୍ଣାଟକ ବିଧାନସଭା ମହାଲଢ଼େଇର ଭୋଟ ଗଣତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିର ରିପୋର୍ଟ ଅନୁଯାୟୀ, ରାଜ୍ୟରେ କଂଗ୍ରେସ ବହୁମତ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏହି ପରାଜୟକୁ ଗ୍ରହଣ କରିଛନ୍ତି । ତେଣୁ ବିଜେପିର ‘ଅପରେସନ ଲୋଟସ’ ମାୟାଜାଲରୁ ବଞ୍ଚାଇବା ପାଇଁ କଂଗ୍ରେସ ସମସ୍ତ ବିଧାୟକଙ୍କୁ ଏକ ବିମାନ ଯୋଗେ ସୁରକ୍ଷିତ ଭାବେ ହୋଟେଲରେ ରଖିବାକୁ ବ୍ୟବସ୍ଥା କରିଛି । ତେବେ ସବୁଠାରୁ ବଡ଼ କଥା ହେଉଛି, କର୍ଣ୍ଣାଟକରେ ବିଜେପି କ’ଣ ପାଇଁ ହାରିଲା । ଏହା ପଛରେ କ’ଣ ସବୁ କାରଣ ରହିଛି ।

୧- କର୍ଣ୍ଣାଟକରେ ବିଜେପିରେ କେହି ଜଣେ ଶକ୍ତିଶାଳୀ ଚେହେରା ନଥିଲେ । ୟେଦିୟୁରପ୍ପାଙ୍କ ସ୍ଥାନରେ ବସଭରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲେ ହେଁ ସିଏମ୍ ପଦରେ ରହି ସେ କୌଣସି ଆଖିଦୃଶିଆ ପ୍ରଭାବ ସୃଷ୍ଟି କରିପାରି ନଥିଲେ । ଅନ୍ୟପକ୍ଷରେ କଂଗ୍ରେସରେ ସିଦ୍ଧରମୈୟା ଓ ଡି.କେ ଶିବକୁମାର ଏମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ ।

୨- ବିଜେପି ଲିଙ୍ଗାୟତ ସମ୍ପ୍ରଦାୟ, ଦଳିତ, ଆଦିବାସୀ, ଓବିସି ଓ ବୌକାଲିଙ୍ଗା ସମ୍ପ୍ରଦାୟର ଲୋକଙ୍କ ଭୋଟ ବ୍ୟାଙ୍କ ହାତେଇବାରେ ଅକ୍ଷମ ରହିଥିଲା । ଅନ୍ୟପକ୍ଷରେ କଂଗ୍ରେସ ମୁସଲିମଙ୍କଠାରୁ ଆରମ୍ଭ କରି ଦଳିତ, ଓବିସିଙ୍କ ମଧ୍ୟରେ ନିଜର ଛବି ସ୍ପଷ୍ଟ କରିପାରିଥିଲା ।

୩- ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ଚେହେରା ଭାବେ ପରିଚିତ ଥିବା ୟେଦିୟୁରପ୍ପାଙ୍କୁ ନିର୍ବାଚନ ସମୟରେ ଅଣଦେଖା କରିବା ଦଳକୁ ମହଙ୍ଗା ପଡ଼ିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଓ ପୂର୍ବତନ ଡେପୁଟି ସିଏମ ଲକ୍ଷ୍ମଣ ସାବଡ଼ୀଙ୍କ ଭଳି ବହୁ ହେଭିୱେଟମାନେ ବିଜେପି ଛାଡ଼ି ପରେ କଂଗ୍ରେସରେ ମିଶିବା ଫଳରେ କଂଗ୍ରେସ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥିଲା ।

୪- ରାଜ୍ୟର ଜନତା ବିଜେପି ଉପରେ ଅସନ୍ତୋଷ ଅଛନ୍ତି ଏହା ଭାଜପା ଜାଣିପାରିନଥିଲା । ଲୋକଙ୍କର ବିଭିନ୍ନ ସମସ୍ୟାକୁ ଦୂର କରି ଜନତାଙ୍କ ମଧ୍ୟରେ ସକରାତ୍ମକ ଛବି ସୃଷ୍ଟି କରିବାରେ ବିଜେପି ଅକ୍ଷମ ହୋଇଥିଲା ।

୫- ନିର୍ବାଚନ ସମୟରେ ବଜରଙ୍ଗବାଲି ପ୍ରସଙ୍ଗ ଉଠିବା ଫଳରେ ତାହାକୁ ବିଜେପି ଠିକ ଭାବେ ସମାଧନ କରିପାରିନଥିଲା । କଂଗ୍ରେସ ବଜରଙ୍ଗ ଦଳକୁ ବ୍ୟାନ କରିବାକୁ କହୁଥିବା ବେଳେ ବିଜେପି ବଜରଙ୍ଗବାଲିଙ୍କ ସହିତ ବଜରଙ୍ଗ ଦଳକୁ ଯୋଡ଼ି ଦେଇଥିଲା । ଫଳରେ ଏହା ଭଗବାଙ୍କ ଘୋର ଅପମାନ ହୋଇଥିଲା । ରାଜ୍ୟରେ ହିନ୍ଦୁତ୍ୱ କାର୍ଡ କାମ କରିନଥିଲା ।

୬- ନିର୍ବାଚନ ଆରମ୍ଭରୁ କଂଗ୍ରେସ ‘୪୦ ପ୍ରତିଶତ ପେ-ସିଏମ କରପସନ’ ଏଜେଣ୍ଡାକୁ ସେଟ କରିଥିଲା ଓ ପରେ ଏହା ଧୀରେଧୀରେ ବଢ଼ିବାରେ ଲାଗିଥିଲା । ଭ୍ରଷ୍ଟାଚାର କାରଣରୁ ବିଜେପିର ଜଣେ ମନ୍ତ୍ରୀ ନିଜର ପଦରୁ ଇସ୍ତଫା ଦେଇଥିବା ବେଳେ ଜଣେ ବିଧାୟକ ଗିରଫ ହୋଇଥିଲେ ।

୭- ବିଜେପି ନିଜ ଦଳର ବହୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଟିକେଟରୁ ବଞ୍ଚିତ କରିଥିଲା । ଏଥିସହିତ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୨ ଜଣ ନୂଆ ଚେହେରାଙ୍କୁ ସୁଯୋଗ ଦେଇଥିଲା ।

୮- କେନ୍ଦ୍ର ସରକାର ବିରୋଧୀଙ୍କ ଉପରେ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ଦୁରୂପଯୋଗ କରୁଥିବା ନେଇ ନାରା ସାରା ଦେଶରେ ଦେଖିବାକୁ ମିଳିଥିଲା । ବିଜେପି ସରକାରର ଏହା ଏକ ହୀନମନ୍ୟତା ବୋଲି ଲୋକଙ୍କ ମଧ୍ୟରେ ଧାରଣା ସୃଷ୍ଟି ହୋଇଥିଲା ।

୯- ନିକଟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପରେ କଂଗ୍ରେସର ଲୋକପ୍ରିୟତାରେ ସାମାନ୍ୟ ବୃଦ୍ଧି ଘଟିଥିଲା । ଯେଉଁ ବିରୋଧୀମାନେ ଏକଜୁଟ୍ ହେବାକୁ ବର୍ଷାଧିକ ସମୟ ଲାଗିଥିଲା, ସେମାନେ ଦିନ କେଇଟାରେ ଏକତ୍ର ହୋଇ ପାରିଥିଲେ ।

୧୦- ସେହିପରି ଆମ ଆଦମୀ ପାର୍ଟି (ଆପ)ର ପୂର୍ବତନ ଡେପୁଟି ସିଏମ୍ ମନିଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିବା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ ପଠାଇବା ଏଭଳି କିଛି ଘଟଣା ନିର୍ବାଚନ ପୂର୍ବରୁ ଲୋକଙ୍କ ମଧ୍ୟରେ ବିଜେପି ପ୍ରତି ଖରାପ ଭାବନା ସୃଷ୍ଟି କରିଥାଇପାରେ ।

୧୧- କର୍ଣ୍ଣାଟକରେ ବିରୋଧୀ କଂଗ୍ରେସ ଓ ଜେଡିଏସର ସ୍ଥିତି ସୁଦୃଢ଼ ରହିଥିବା ଜାଣି ମଧ୍ୟ ବିଜେପି ସେପରି କିଛି ସ୍ପେଶାଲ ପ୍ଲାନ କରିନଥିଲା । ବିଜେପି ଚାଣକ୍ୟ ଅମିତ ଶାହ ଏଥିପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ ଓ ପିଏମ୍ ମୋଦୀ ବହୁ ବାର ରାଜ୍ୟରେ ପ୍ରଚାର ରାଲି କରିଥିଲେ । ମାତ୍ର ତାହା କର୍ଣ୍ଣାଟକରେ ଫେଲ୍ ମାରିଥିଲା ।

Get real time updates directly on you device, subscribe now.