fbpx

ଦିଗପହଣ୍ଡି ବସ୍ ଟ୍ରାଜେଡିର ପର୍ଦ୍ଦାଫାଶ: ଏହି କାରଣରୁ ଚାଲିଗଲା ୧୨ ଜଣଙ୍କ ଜୀବନ, କାହାର ଥିଲା ଦୋଷ?

ଦିଗପହଣ୍ଡି: ଗଞ୍ଜାମ ଦିଗପହଣ୍ଡି ବସ୍ ଦୁର୍ଘଟଣା ପଛର ଏକ ବଡ ରହସ୍ୟ ବର୍ତ୍ତମାନ ସାମନାକୁ ଆସିଛି । ଅଧରାତିରେ ଘଟିଯାଇଥିବା ଏହି ଭୟଙ୍କର ଦୁର୍ଘଟଣା ପଛରେ କାହାର ହାତ ଅଛି ତାହା ଏବେ ଧିରେ ଧିରେ ସ୍ପଷ୍ଟ ହେବାକୁ ଯାଉଛି । କାରଣ ଏହି ବସକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏବେ ବସ୍ ଦୁର୍ଘଟଣା ଏବଂ ଏଥିରେ ୧୨ ଜଣଙ୍କ ମୃତ୍ୟୁ ସହିତ ଆହତ ଯାତ୍ରୀମାନଙ୍କର ଦାୟୀ କିଏ, ତାହା ହୁଏତ ସ୍ପଷ୍ଟ ହୋଇଯିବ । ଧକ୍କା ପରେ କାହିଁକି ଏତେ ବଡ କ୍ଷତିକୁ ସାମନା କରିଥିଲା ଏହି ବସ? ତାହାର ଉତ୍ତର ରଖିଛି ସ୍ଥାନୀୟ ଆରଟିଓ ।

ସୂଚନା ଅନୁସାରେ, ଦିଗପହଣ୍ଡିର ଭୟଙ୍କର ବସ୍ ଦୁର୍ଘଟଣାକୁ ନେଇ ବର୍ତ୍ତମାନ ଥାନାରେ ଏତଲା ଦିଆଯାଇଛି । ଏହାପରେ ତଦନ୍ତ ଆରମ୍ଭ କରିବାରୁ ପୋଲିସ ହାତରେ ଲାଗିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଦୁର୍ଘଟଣାର ଶିକାର ହୋଇଥିବା ମିନି ବସ୍ ଚଳାଚଳ ପାଇଁ ଉପଯୁକ୍ତ ନଥିଲା । କାରଣ ଗାଡିଟି ବହୁତ ପୁରୁଣା ଅର୍ଥାତ୍ ୨୫ ବର୍ଷ ୩ ମାସର ଗାଡି ଥିଲା । ଏହାବ୍ୟତୀତ ଗାଡିର ଫିଟନେସ କିମ୍ବା ଇନ୍ସୁରାନ୍ସ ମଧ୍ୟ ନଥିଲା । ତେଣୁ ରାତିରେ ଚଳାଚଳ କରିବା ପାଇଁ ଏହି ଘରୋଇ ମିନି ବସର ପରମିଟ ନଥିଲା । ଏ ନେଇ ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି । ୨୫ ବର୍ଷ ୩ ମାସର ଗାଡି ହୋଇଥିବାରୁ ଗାଡିଟି ଧକ୍କା ହେବା ସଙ୍ଗେ ସଙ୍ଗେ ଏହାର ଆକ୍ସିଲ ଭାଙ୍ଗି ଯାଇଥିଲା । ବହୁ ପୁରୁଣା ଗାଡି ହୋଇଥିବାରୁ ଏହା ସରକାରୀ ବସର ଆଘାତକୁ ସମ୍ଭାଳି ପାରି ନଥିଲା । ଫଳରେ ଗାଡି ଭାଙ୍ଗିଯାଇଥିଲା ଏବଂ ଯାହାର ଫଳ ଭୋଗୁଛନ୍ତି ଏଥିରେ ଥିବା ଯାତ୍ରୀ ଏବଂ ସେମାନଙ୍କ ପରିବାର ।

ଗଞ୍ଜାମ ସଡକ ପରିବହନ ଅଧିକାରୀ ମାନସ ସାହୁଙ୍କ ସୂଚନା ଅନୁଯାୟୀ ଏହି ଗାଡିର ଫଟନେସ ଚଳିତବର୍ଷ ନଭେମ୍ବର ପର୍ଯ୍ୟନ୍ତ ଥିଲା । ତେବେ ୨୫ ବର୍ଷର ଗାଡିକୁ କିପରି ଫିଟନେସ ଅନୁମତି ମିଳିପାରିଛି ସେ ନେଇ ଏବେ ପ୍ରଶ୍ନ ଉଠିଛି । ୧୯୯୮ ମସିହା ମାର୍ଚ୍ଚ ୨୬ ତରିଖରେ ଏହି ଗାଡି ଆରଟିଓରେ ରେଜିଷ୍ଟ୍ରେସନ କରାଯାଇଥିଲା । ତେବେ ବର୍ତ୍ତମାନ ଦୁର୍ଘଟଣାର ଶିକାର ହେବା ପରେ ଗାଡି କ୍ଷତିଗ୍ରସ୍ତ ହେବା ସହିତ ୧୨ ଜଣଙ୍କ ଜୀବନ ମଧ୍ୟ ଯାଇଛି । ଏହାବ୍ୟତୀତ ୮ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ଦାୟୀ କିଏ ହେବ? ଏହି ପ୍ରଶ୍ନରେ ଗାଡି ମାଲିକ ହିଁ ଏଥିପାଇଁ ଦାୟୀ ହେବେ ବୋଲି କୁହାଯାଉଛି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରେ ।

Get real time updates directly on you device, subscribe now.