fbpx
BSKY SKY
BSKY SKY

୫୦ ଦିନ ବିତିଲାଣି ମଣିପୁରରେ ଥମୁନି ହିଂସା, ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଉଗ୍ରବାଦୀଙ୍କ ଦ୍ୱାରା ଗଠିତ ୧୨ ବଙ୍କରକୁ ନଷ୍ଟ କଲେ ସୁରକ୍ଷା କର୍ମୀ

BSKY

ଇମ୍ଫାଲ: ପ୍ରାୟ ୨ ମାସ ହେବ ମଣିପୁରରେ ହିଂସା ଜାରି ରହିଛି । ଏହାରି ମଧ୍ୟରେ ପୋଲିସ ଓ ସୁରକ୍ଷା ବଳ ମଧ୍ୟ ଉଗ୍ରବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରି ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା କର୍ମୀ ମଣିପୁରର ବିଭିନ୍ନ ଜିଲ୍ଲାରେ ଉଗ୍ରବାଦୀଙ୍କ ଦ୍ୱାରା ଗଠିତ ୧୨ ବଙ୍କରକୁ ନଷ୍ଟ କରି ଦେଇଛନ୍ତି । ମଣିପୁର ପୋଲିସ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ତମେଙ୍ଗଲୋଙ୍ଗ, ପୂର୍ବ ଇମ୍ଫାଲ, ବିଷ୍ଣୁପୁର, କାଙ୍ଗୋପକପି, ଚୁରାଚାନ୍ଦପୁର ଓ କାକଚିଙ୍ଗ ଜିଲ୍ଲାରେ ସର୍ଚ୍ଚ ଅପରେସନ କରି ୧୨ ବଙ୍କରକୁ ଧ୍ୱଂସ କରି ଦେଇଛି ।

କେବଳ ଏତିକି ନୁହେଁ ସର୍ଚ୍ଚ ଅପରେସନ ସମୟରେ ପୋଲିସକୁ ଏକ ଧାନ ଜମିରେ ୫୧ମିମିର ୩ ମୋର୍ଟାର ଗୁଳି, ୮୪ ମିମିର ୩ ମୋର୍ଟାର ଓ ଆଇଇଡି ମିଳିଛି । ବମ୍ ନିରୋଧକ ଟିମ୍ ଆଇଇଡିକୁ ନଷ୍ଟ କରି ଦେଇଛନ୍ତି । ପୋଲିସ କହିଛି ମଣିପୁରରେ ସ୍ଥିତି ଚିନ୍ତାଜନକ ଥିଲେ ମଧ୍ୟ କିଛି ସ୍ଥାନରେ ନିୟନ୍ତ୍ରଣାଧୀନ ରହିଛି । କର୍ଫ୍ୟୁ ଉଲଙ୍ଘନ, ଘରେ ପଶି ଚୋରୀ ଓ ଆକ୍ରମଣ ମାମଲାରେ ପୋଲିସ ୧୩୫ ଜଣଙ୍କୁ ଗିରଫ କରିଛି । ପୋଲିସ କହିଛି ଏ ପର୍ଯ୍ୟନ୍ତ ୧୧୦୦ ଅସ୍ତ୍ରଶସ୍ତ୍ର, ୧୩୭୦୨ ଗୋଳାବାରୁଦ ଓ ବିଭିନ୍ନ ପ୍ରକାରର ୨୫୦ ବମ୍ ଜବତ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ, ଘେରାବନ୍ଦୀ ଓ ତଲାସୀ ଅଭିଯାନ ଜାରି ରହିଛି । ରାଜ୍ୟର ସ୍ଥିତି ସ୍ୱଭାବିକ ରଖିବା ଦିଗରେ ଜନତାଙ୍କୁ ସହଯୋଗ କରିବା ଲାଗି ପୋଲିସ ନିବେଦନ କରିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୈତେଇ ସଂପ୍ରଦାୟକୁ ଅନୁସୂଚୀତ ଜନଜାତି ଭାବରେ ସ୍ୱୀକୃତି ଦିଆଯିବାକୁ ଉଠୁଥିବା ଦାବୀ ଉପରେ ବିଚାର କରିବାକୁ କହିଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ‘ଅଲ୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ୍ ମଣିପୁର’ ଆଦିବାସୀ ଏକତା ମାର୍ଚ୍ଚ ବାହାର କରିଥିଲା । ମେ ୩ରେ ଏହି ଏକତା ମାର୍ଚ୍ଚ ସମୟରେ ହିଂସାର ସୂତ୍ରପାତ ହୋଇଥିଲା । ଏହି ସମୟରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସାର ସୂତ୍ରପାତ ହୋଇଥିଲା । ଦୀର୍ଘ ୫୦ ଦିନରୁ ଅଧିକ ହେବ ଏହି ହିଂସା ଜାରି ରହିଛି । ଏଥିରେ ଏ ପର୍ଯ୍ୟନ୍ତ ୧୨୦ ଜଣଙ୍କ ଜୀବନ ଯିବା ସହିତ ୩,୦୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ହିଂସାରେ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ଆରକେ ରଞ୍ଜନଙ୍କ ଘର ମଧ୍ୟ ଜାଳି ଦିଆଯାଇଛି ।

Get real time updates directly on you device, subscribe now.