fbpx

ଜୁନ୍‌ ପହିଲା ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସର୍ବ ଭାରତୀୟ ପରୀକ୍ଷା ତଥା ବିଭିନ୍ନ ରାଜ୍ୟର ଯୁକ୍ତ ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଗାମୀ ଦିନରେ ଏହି ଦ୍ୱାଦଶ ଶ୍ରେଣୀ ପରୀକ୍ଷା କିପରି କରାଯିବ ସେ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି  ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ “ନିଶଙ୍କ’ କେନ୍ଦ୍ର ମହିଳା ଓ ଶିଶୁବିକାଶ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ, ପରିବେଶ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଯୋଗଦେଇଥିଲେ । ବୈଠକରେ ଶିକ୍ଷାମନ୍ତ୍ରୀ ଶ୍ରୀ ନିଶଙ୍କ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ଯୁକ୍ତ ୨ ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

ଗତ ମଇ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ସମ୍ପର୍କରେ ସେ ଅବଗତ କରାଇଥିଲେ । କରୋନା ସମୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀମାନେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ । ଅଧିକ ମତାମତ ଥିଲେ ରାଜ୍ୟ ଗୁଡ଼ିକ ଆସନ୍ତା ୨୫ ତାରିଖ ମଧ୍ୟରେ ମନ୍ତ୍ରଣାଳୟକୁ ଦେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କହିଥିଲେ । ଏହି ମତାମତକୁ ଆଧାର କରି କେନ୍ଦ୍ରସରକାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।

ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ୧୪ ତାରିଖରେ ସିବିଏସଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯିବା ସହ ଜୁନ ପହିଲା ସୁଦ୍ଧା ପରବର୍ତ୍ତୀ ତାରିଖ ଘୋଷଣା ହେବ ବୋଲି ସୂଚନା ଦିଆଯାଇଥିଲା । ତେବେ ରାଜ୍ୟ ଗୁଡ଼ିକର ଚୂଡ଼ାନ୍ତ ମତାମତକୁ ଆଧାର କରି ଆସନ୍ତା ଜୁନ ପହିଲା ସୁଦ୍ଧା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କେନ୍ଦ୍ରଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.