fbpx

ରାଜ୍ୟ ଅର୍ଥନୀତିରେ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ: ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାଜର ବିଭିନ୍ନର ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏହା ମଧ୍ୟରେ ପ୍ରାଣୀଙ୍କର ଚିକିତ୍ସା ସେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ୧୩୩ଟି ନୂତନ ପ୍ରାଣୀ ସେବା ଯାନକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଜନାରେ ଏହା କାର୍ଯ୍ୟ କରିବ । କଳିଙ୍ଗ ଷ୍ଟାଡିୟମ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିଛନ୍ତି ।

ରାଜ୍ୟ ତଥା ଦେଶର ଅର୍ଥନୀତିରେ ପ୍ରାଣୀ ସମ୍ପଦର ପ୍ରମୁଖ ଯୋଗଦାନ ସର୍ବଦା ରହିଆସିଛି । କୃଷକମାନଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀପାଳନ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ରାଜ୍ୟ ସରକାର କୃଷକମାନଙ୍କ ଆୟବୃଦ୍ଧି କରି ସେମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରାଣୀ ସମ୍ପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀ ମାନଙ୍କର ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି ।

ପ୍ରାଣୀ ସମ୍ପଦର ସୁରକ୍ଷା ଓ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହିତ ପ୍ରାଣୀ ସମ୍ପଦର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ପ୍ରଚଳନ କରାଯାଇଛି । ଏହା ମାଧ୍ୟମରେ ପ୍ରାଣୀ ଚିକିତ୍ସା ସୁବିଧା ନଥିବା ଅଞ୍ଚଳରେ ମୋବାଇଲ ଭେଟେରିନାରୀ ୟୁନିଟ୍ ମାଧ୍ୟମରେ ପୀଡ଼ିତ ପ୍ରାଣୀମାନଙ୍କ ନିକଟରେ ତୁରନ୍ତ ପହଞ୍ଚାଯାଇ ପ୍ରାଣୀ ଚିକିତ୍ସା କରାଯାଇପାରୁଛି ।

ପୀଡ଼ିତ ପ୍ରାଣୀମାନଙ୍କୁ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରୁଛି । ପୂର୍ବରୁ ଏହି ମୋବାଇଲ ୟୁନିଟଗୁଡ଼ିକ ଭଡ଼ାଗାଡ଼ି ମାଧ୍ୟମରେ କରାଯାଉଥିଲା । ପ୍ରଥମ ପର୍ଯ୍ୟାୟରେ ଗତ ବର୍ଷ ସେପ୍ଟେମ୍ବର ମାସ ୮ ତାରିଖରେ ମୁଖ୍ୟମନ୍ତ୍ରୀ ପାଖାପାଖି ୩୦ କୋଟି ଟଙ୍କା ବ୍ୟୟରେ ୧୮୧ ଗୋଟି ମୋବାଇଲ ଭେଟେରିନାରୀ ୟୁନିଟ୍ ଲୋକାର୍ପିତ କରିଥିଲେ । ଏହା ମଧ୍ୟରେ ପୁଣି ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ଅନ୍ୟ ୧୩୩ଟି ନୂଆ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ।

ଏହାଦ୍ୱାରା ପ୍ରାଣୀ ଚିକିତ୍ସା ସେବା ଲୋକଙ୍କ ଦୁଆର ମୁହଁରେ ପହଞ୍ଚି ପାରିଛି । ଏହି ମୋବାଇଲ ୟୁନିଟରେ ଆସ୍ତ୍ରୋପଚାରର ସୁବିଧା ମଧ୍ୟ ରହିଛି । ଏହା ମାଧ୍ୟମରେ ପ୍ରାଣୀମାନଙ୍କର ଟୀକାକରଣ ଓ ରୋଗ ନିର୍ଣ୍ଣୟ ସେବା ମଧ୍ୟ ଉପଲବ୍ଧ କରାଯାଇଛି ଏବଂ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇ ପାରିଛି । ପୂର୍ବରୁ ସ୍ଥିର କରାଯାଇଥିବା କାର୍ୟ୍ୟକ୍ରମ ଅନୁଯାୟୀ ଏହି ମୋବାଇଲ ୟୁନିଟ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ୫‘ଟି’ ଉପକ୍ରମରେ ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବା ସହିତ ସ୍ୱଚ୍ଛତା ଅବଲମ୍ବନ ନିମନ୍ତେ ଜି.ପି.ଏସ ମାଧ୍ୟମରେ ଭ୍ରାମ୍ୟମାଣ ଯାନଗୁଡ଼ିକର ଅବସ୍ଥାନ ଟ୍ରାକିଂ କରାଯାଇ ପାରୁଛି ।

ଏଥିସହିତ ଆଜି ସହରାଞ୍ଚଳରେ ୬ ଗୋଟି ମୁଖ୍ୟମନ୍ତ୍ରୀ ପ୍ରାଣୀ ଆମ୍ବୁଲାନ୍ସ ସେବା ଯାନର ମଧ୍ୟ ଲୋକାର୍ପିତ ହୋଇଛି ଯାହାଦ୍ୱାରା ପୀଡ଼ିତ ଓ ଆହତ ବୁଲା ଗାଈଗୋରୁ ଓ ପ୍ରାଣୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେଇହେବ । ଏହି ଅବସରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଉନ୍ନୟନ କମିଶନର ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରମୁଖ ଉପସ୍ଥିତ ଥିଲେ

Get real time updates directly on you device, subscribe now.