୧୫ ଜିଲ୍ଲାକୁ ବିପଦଜନକ କାଳବୈଶାଖୀ ନେଇ ସତର୍କ

ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା।

ଭୁବନେଶ୍ୱର: ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। କେବଳ ବର୍ଷା ହେଉଛି ତାହା ନୁହେଁ, ପ୍ରବଳ ପବନ ସାଙ୍ଗକୁ କୁଆପଥର ମଧ୍ୟ ମାଡ଼ ହେଉଛି।

ଆଉ ବର୍ଷା ସମୟରେ ବଜ୍ରାଘାତରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଆଉ ଏହାରି ଭିତରେ ଆଜି ପାଇଁ ୧୫ ଜିଲ୍ଲାକୁ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ସାଧାରଣ କାଳବୈଶାଖୀ ନୁହେଁ, ବରଂ ଏହି ୧୫ ଜିଲ୍ଲାକୁ ବିପଦଜନକ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ଆଉ ସେହି ସବୁ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ାରେ କାଳବୈଶାଖୀ ସମ୍ଭାବନା ରହିଛି।

କନ୍ଧମାଳ, ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ରାୟଗଡ଼ା, ଦେବଗଡ଼ ଓ କଳାହାଣ୍ଡିକୁ ମଧ୍ୟ ଚେତାବନୀ ଦିଆଯାଇଛି। ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।