କୱର୍ଦ୍ଧା: ଛତିଶଗଡ଼ର କୱର୍ଦ୍ଧା ଅଞ୍ଚଳରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ପିକ୍-ଅପ୍ ଗାଡ଼ି ଓଲଟି ଯିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଯାଇଛି । ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ଏହାବ୍ୟତୀତ ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଶ୍ରମିକମାନଙ୍କୁ ନେଇ ଜଙ୍ଗଲରୁ ଫେରିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି । ପିକ୍-ଅପ୍ ଗାଡ଼ିରେ ୨୫-୩୦ ଜଣ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି ।
ସୂଚନା ଅନୁସାରେ, କୁକଦୁର ଥାନା ବାହ ପାଣି ଗ୍ରାମରେ ଏହି ଦୁର୍ଘଟଣା ଘଟିଛି । ଜଙ୍ଗଲରେ କାମ ସାରି ଘରକୁ ଫେରିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସି ପଡ଼ିଛି । ଫଳରେ ୧୮ ଜଣରୁ ଅଧିକ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ପିକ୍-ଅପ୍ ଭ୍ୟାନ୍ ଓଲଟି ଯିବାରୁ ୧୮ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ ଖବର ଶୁଣି ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ ଶୋକପ୍ରକାଶ କରିଛନ୍ତି । ଏହାସହିତ ବିଜୟ ଶର୍ମା କହିଛନ୍ତି କୱର୍ଦ୍ଧାରେ ଶ୍ରମିକଙ୍କୁ ନେଇ ଆସୁଥିବା ପିକ୍-ଅପ୍ ଭ୍ୟାନ୍ ଓଲଟିବାରୁ ୧୮ ଜଣଙ୍କର ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ କାମନା କରିଛନ୍ତି । ରାଜ୍ୟ ସରକାରଙ୍କ ତଦାରଖରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।