ପୋଲିସକୁ ମିଳିଲା ବଡ଼ ସଫଳତା, 4 ହାର୍ଡକୋର ନକ୍ସଲ ସହ 18 ନକ୍ସଲଙ୍କ ଆତ୍ମସମର୍ପଣ

ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସ ନିକଟରେ 4 ହାର୍ଡକୋର ନକ୍ସଲ ସମେତ 18 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମୁଣ୍ଡ ଉପରେ ଥିଲା ମୋଟ 39 ଲକ୍ଷ ଟଙ୍କାର ପୁରସ୍କାର ରାଶି ।

ମାଲକାନାଗିରି: ସୁକମା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏଥର 4 ହାର୍ଡକୋର ନକ୍ସଲଙ୍କ ସମେତ 18 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଯାହାଙ୍କ ମୁଣ୍ଡ ଉପରେ ଥିଲା ମୋଟ 39 ଲକ୍ଷ ଟଙ୍କାର ପୁରସ୍କାର ରାଶି । ସୁକମା ପୋଲିସ ଅଧୀକ୍ଷକ କିରଣ ଚୌହାନଙ୍କ ନିକଟରେ ଜଣେ ମହିଳା ନକ୍ସଲ ସମେତ 18 ଜଣ ନକ୍ସଲ ଆତ୍ମସମର୍ପଣ କରି ବାକି ଜୀବନ ଖୁସିରେ କଟାଇବାକୁ ଇଚ୍ଛା ପ୍ରକଟ କରିଛନ୍ତି। ଏହି ନକ୍ସଲମାନେ ସୁକମା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ବହୁ ଅଘଟଣ ଘଟାଇଥିବା ପୁଲିସ କହିଛି।

। ଆତ୍ମସମର୍ପଣ କରିଥିବା ନକ୍ସଲବାଦୀଙ୍କ ମଧ୍ୟରେ ଦକ୍ଷିଣ ବସ୍ତର ଡିଭିଜନ ପ୍ଲାଜା ବାଟାଲିୟନ ନମ୍ବର 1 ର 4 ଜଣ ସକ୍ରିୟ ହାର୍ଡକୋର ନକ୍ସଲବାଦୀ ମଧ୍ୟ ଅଛନ୍ତି। ଛତିଶଗଡ଼ ସରକାରଙ୍କ ନକ୍ସଲ ସଦସ୍ୟ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ଅଧୀନରେ ସୁକମା ପୋଲିସକୁ ଏହି ବଡ଼ ସଫଳତା ମିଳିଛି।

ଏହା ସହ ସରକାରଙ୍କ ତରଫରୁ ସମସ୍ତଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ସେମାନଙ୍କୁ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ କହିଛନ୍ତି ଯେ “ନକ୍ସଲ ସମସ୍ୟା କେବଳ ସୁରକ୍ଷା ବାହିନୀର କାର୍ଯ୍ୟରେ ସୀମିତ ନୁହେଁ, ବରଂ ଏହା ଏକ ସାମାଜିକ ଏବଂ ବିକାଶମୂଳକ ଚ୍ୟାଲେଞ୍ଜ ମଧ୍ୟ। ସରକାର ଏକ ସାମଗ୍ରିକ ଦୃଷ୍ଟିକୋଣ ସହିତ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ପାଇଁ ପୁନର୍ବାସ ଯୋଜନା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ସେମାନଙ୍କୁ ନିଯୁକ୍ତି, ଆର୍ଥିକ ସହାୟତା ଏବଂ ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ସୁଯୋଗ ପ୍ରଦାନ କରାଯାଉଛି। ଏହି ପୁନର୍ବାସ ନୀତିଗୁଡ଼ିକ କେବଳ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁନାହିଁ, ବରଂ ସମାଜରେ ଶାନ୍ତି ଏବଂ ବିଶ୍ୱାସର ବାତାବରଣ ମଧ୍ୟ ସୃଷ୍ଟି କରୁଛି।”

ନକ୍ସଲ ପ୍ରଭାବିତ ଅଞ୍ଚଳରେ ରାସ୍ତା, ବିଦ୍ୟୁତ୍, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ଭଳି ମୌଳିକ ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ଅଞ୍ଚଳଗୁଡ଼ିକରେ ବିକାଶ କାର୍ଯ୍ୟ କେବଳ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଆତ୍ମବିଶ୍ୱାସ ବୃଦ୍ଧି କରିନାହିଁ ବରଂ ଯୁବପିଢ଼ିଙ୍କୁ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପ୍ରେରଣା ଦେଇଛି।