fbpx
BJD SKY
BJD SKY

ଆଉ ୨ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ପୁରୀକୁ ୧୫ଟି ସ୍ପେଶାଲ ଟ୍ରେନ୍‍

BJD

ପୁରୀ: ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ବିଭିନ୍ନ ସ୍ଥାନରୁ ପୁରୀକୁ ୧୫ଟି ସ୍ପେଶାଲ ଟ୍ରେନ୍‍ ଚଳାଚଳ ଲାଗି ବ୍ୟବସ୍ଥା କରାଯାଇଛି । ପାରାଦ୍ୱୀପ, ଅନୁଗୁଳ, ଭଦ୍ରକ, ଖୋର୍ଦ୍ଧାରୋଡ଼, ନୂଆଗାଁ ରୋଡ଼, ବ୍ରହ୍ମପୁର, ପଲାସା, କେନ୍ଦୁଝରଗଡ, ଗୁଣପୁର ଆଦି ଅଞ୍ଚଳରୁ ଏହି ସ୍ୱତନ୍ତ୍ର ଟ୍ରେନ୍‍ଗୁଡ଼ିକ ପୁରୀ ଅଭିମୁଖେ ଯାତ୍ରା କରିବ । ସେହିପରି ପୂର୍ବତଟ ରେଳପଥ ଦ୍ୱାରା ରଥଯାତ୍ରା ଲାଗି ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ଲାଗି ରେଲୱେ ଗେଷ୍ଟହାଉସ୍‍ର ମଧ୍ୟ ବନ୍ଦୋବସ୍ଥ କରାଯାଇଛି ।

ଅନ୍ୟପକ୍ଷରେ ରଥଯାତ୍ରାରେ ଅଧିକାଂଶ ଲୋକ ପଡୋଶୀ ପଶ୍ଚିମବଙ୍ଗ ଓ ବିହାର ରାଜ୍ୟରୁ ଆସିଥାନ୍ତି । କିନ୍ତୁ ଗତ ୨ ତାରିଖରେ ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ୱତନ୍ତ୍ର ଟ୍ରେନ୍‍ର ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ସିପିଆର୍‍ଓ ଆଦିତ୍ୟ ଚୌଧୁରୀ କହିଛନ୍ତି ।

ଶ୍ରୀମନ୍ଦିରରେ ଦଇତାପତି ସେବକମାନେ ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା କରିଚାଲିଛନ୍ତି । ଅଣସର ଘରେ ଆଜି ଭୋରରୁ ଶ୍ରୀପୟର ମୁଦା ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ଅଣସର ଘର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ମଙ୍ଗଳଆଳତୀ, ଅବକାଶ, ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଆଦି କେତେକ ନୀତି ଶେଷ ହୋଇ ଚନ୍ଦନଲାଗି, ବଡସିଂହାର ବେଶ, ବଡସିଂହାର ଭୋଗ ହେବ । ତାପରେ ଜୟବିଜୟ ଦ୍ୱାରକୁ ବନ୍ଦ କରାଯିବା ସହିତ ବେହେରଣ ଦ୍ୱାରକୁ ଫିଟାଯାଇ ପଣାଭୋଗ କରାଯିବ ।

ରାତି ପ୍ରାୟ ଗୋଟାଏ ଠାରୁ ୫ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ମଧ୍ୟ ବନକଲାଗି ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଆସନ୍ତା ୧୯ତାରିଖରେ ନେତ୍ରୋତ୍ସବ ହୋଇ ଠାକୁରମାନେ ଅଣସର ପିଣ୍ଡିରେ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେବେ । ଜୁନ ୨୦ରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ ଚାଲିଛି ।

Get real time updates directly on you device, subscribe now.