fbpx
BJD SKY
BJD SKY

ବଡ଼ ଦୁର୍ଘଟଣା: ରାସ୍ତାରେ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ, ୨୦ ଯାତ୍ରୀ ଆହତ, ୬ ଜଣଙ୍କ ଅବସ୍ଥା ଶୋଚନୀୟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଜଣଙ୍କର ଭୁଲ ପାଇଁ ବହୁ ଲୋକଙ୍କର ଜୀବନ ଅକାଳରେ ଚାଲିଯିବା ସହ ଅନେକ ପରିବାର ମଧ୍ୟ ଉଜୁଡ଼ି ଯାଉଛି । ଅନେକ ସମୟରେ କିଛି ବ୍ୟକ୍ତି ମଦ୍ୟପାନ କରିବା ସହିତ ବେପରୁଆ ଭାବେ ଡ୍ରାଇଭିଂ କରିଥାନ୍ତି । ତେବେ ସାମାନ୍ୟ ଅନ୍ୟମନସ୍କ ଅନେକ ସମୟରେ ବଡ଼ ବଡ଼ ବିପଦକୁ ଡାକି ଆଣିଥାଏ ।

ତେବେ ଏହା ମଧ୍ୟରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲା ଭଟଲିରେ ରାସ୍ତାରେ ଗୋଟିଏ ପିକଅପ୍ ଭ୍ୟାନ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଫଳରେ ଭ୍ୟାନରେ ଯାତ୍ରା କରୁଥିବା ୩୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିଲେ । ସେହିପରି ଏହି ଦୁର୍ଘଟଣା ପରେ ୬ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।

ପିକଅପ୍ ଭ୍ୟାନରେ ମୋଟ ୩୨ ଜଣ କୀର୍ତ୍ତିନିଆ ଯାତ୍ରା କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ତେବେ ସମସ୍ତ ଆହତଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ସମ୍ବଲପୁର ସ୍ଥିତ ବୁର୍ଲା ବୀର ସୁରେନ୍ଦ୍ରସାଏ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କୀର୍ତ୍ତନିଆଙ୍କୁ ନେଇ ପିକଅପ୍ ଭ୍ୟାନଟି ଛତିଶଗଡ଼ ଅଭିମୁଖେ ଯାଉଥିଲା । ମାତ୍ର ପିପଲମୁଣ୍ଡ ଛକ ନିକଟରେ ଭ୍ୟାନଟି ଅଚାନକ ନିୟନ୍ତ୍ରଣ ହରାଇଥିଲା ଓ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୪ ତାରିଖରେ ମଧ୍ୟ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ମାଲକାନଗିରିରେ ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ଅକାଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ଏହି ଦୁର୍ଘଟଣାରେ ୭ ଜଣ ମଧ୍ୟ ଗୁରୁତର ହୋଇଥିଲେ । ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ନିଜ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ଡ୍ରାଇଭର ଟ୍ରାକ୍ଟରକୁ ନିୟନ୍ତ୍ରଣରେ ରଖିପାରିନଥିଲେ ।

Get real time updates directly on you device, subscribe now.