fbpx
BJD SKY
BJD SKY

୨୦୧୬ ଏବଂ ୨୦୧୮ ମେକ୍ ଇନ୍ ଓଡ଼ିଶାରେ ଆଗ୍ରହ ପ୍ରସ୍ତାବ ୬ ଲକ୍ଷ କୋଟି, ପୁଞ୍ଜିନିବେଶ ୫୬୭୪.୫୬ କୋଟି; ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

BJD

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ”ର ତୃତୀୟ ସଂସ୍କରଣ। ଏହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଦେଶ ତଥା ଦେଶ ବାହାରର ପୁଞ୍ଜିପତିମାନେ ଯୋଗ ଦେବେ। ପୁର୍ବରୁ ୨୦୧୬ ଏବଂ ୨୦୧୮ରେ ଦୁଇ ଥର ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଅନୁଷ୍ଠିତ ହୋଇଛି। ଗତ ଏହି ଦୁଇ ‘ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ’ରୁ ଓଡ଼ିଶାକୁ କେତେ ଫାଇଦା ମିଳିଛି ବୋଲି ଗୃହରେ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଏହା ସହିତ ଏହି ଦୁଇ ସଂସ୍କରଣରୁ ଆସିଥିବା ପୁଞ୍ଜି କେଉଁ ଶିଳ୍ପରେ ନିବେଶ ହୋଇଛି ଏବଂ ସେହି କ୍ଷେତ୍ରରେ କେତେ ନିଯୁକ୍ତି ସୃଷ୍ଟି ହୋଇଛି ତାହା ସବିଶେଷ ସୂଚନା ଗୃହରେ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ଲିଖିତ ଉତ୍ତର ଦେଇ ପ୍ରତାପ କହିଛନ୍ତି ରାଜ୍ୟକୁ କିଭଳି ଅଧିକ ପୁଞ୍ଜି ଆସିବେ ସେ ନେଇ ୨୦୧୬ ଏବଂ ୨୦୧୮ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୨୦୧୬ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୨୧.୨୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୨୦୧୮ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୩୩.୭୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ୨୦୧୬ ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ସ୍ଥାପନ ପାଇଁ ୮୪ଟି ଆଗ୍ରହ ପ୍ରସ୍ତାବ ଆସିଥିବା ବେଳେ ୨.୦୩.୨୩୫ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା। ଏହା ମାଧ୍ୟମରେ ୧,୩୭,୬୩୪ଟି ନିଯୁକ୍ତିର ଆକଳନ କରାଯାଇଥିଲା। ସେହିଭଳି ୨୦୧୮ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ସ୍ଥାପନ ପାଇଁ ୨୦୨ଟି ପ୍ରସ୍ତାବ ସହ ୪,୨୩,୧୧୪.୫୩ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା। ଏହା ମାଧ୍ୟମରେ ୫,୯୧,୮୪୭ଟି ନିଯୁକ୍ତିର ଆକଳନ କରାଯାଇଥିଲା ।

ତେବେ ଆଜି ଗୃହରେ ବିଭାଗିୟ ମନ୍ତ୍ରୀଙ୍କ ଉତ୍ତର ମୁତାବକ ଏହି ଦୁଇ ଥର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ୬,୨.୩୪୯.୫୩ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା ବେଳେ ଏଥି ମଧ୍ୟରୁ ମାତ୍ର ୫୬୭୪.୫୬ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୫୮୭୮ଟି ନିଯୁକ୍ତି ସୃଷ୍ଟି ହୋଇଥିବା ଆକଳନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହି ପୁଞ୍ଜିରେ ୧୬ଟି ବୃହତ୍ତ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ଓ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି।

 

 

 

 

 

Get real time updates directly on you device, subscribe now.