fbpx

୨୦୨୪ରେ ନବୀନଙ୍କୁ କିଏ ଦବ ଟକ୍କର ? ବିଜେପି କାହାକୁ କରିବା ପ୍ରାର୍ଥୀ? ନଜରରେ ଦୁଇ ନେତା

ଭୁବନେଶ୍ୱର: ରାଜ୍ୟରେ ବିଧାନସଭା ଲୋକସଭା ନିର୍ବାଚନ ପାଇଁ ଢ଼େର ସମୟ ଅଛି କିନ୍ତୁ ବର୍ତ୍ତମାନ ଠାରୁ ଅଙ୍କ କଷା ଆରମ୍ଭ ହୋଇଗଲାଣି ।୨୦୨୪ ନିର୍ବାଚନ ପାଇଁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକଳ୍ପରେ ବିଜେପି କାହାକୁ ଛିଡା କରିବ ତାହାକୁ ନେଇ ବର୍ତ୍ତମାନ ଠାରୁ ରଣନୀତି ପ୍ରସ୍ତୁତ ହେଲାଣି । କହିବାକୁ ଗଲେ ବିଜେପି ୨୦୨୪ ନିର୍ବାଚନ ହାତେଇବା ପାଇଁ ଏବେ ଠାରୁ ରୋଡମ୍ୟାପ ପ୍ରସ୍ତୁତି କରୁଛି କାରଣ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇବା ସହଜ କମ ଅସମ୍ଭବ ବେଶୀ । କହିବାକୁ ଗଲେ ଓଡିଶାରେ ଗଛର ପତ୍ର ଯଦି ଛିଣ୍ଡେ ତେବେ ଏଥିରେ ମଧ୍ୟ ନବୀନଙ୍କ ନିର୍ଦ୍ଦେଶ ଥାଏ ତେବେ ଆପଣ ଜାଣି ପାରୁଥିବେ ଏଠାରେ ନବୀନ ସରକାରଙ୍କୁ ହରାଇବା ଆଉ ନୂତନ ସରକାର ଗଢ଼ିବା କେତେ ମୁସକିଲ ।

ଯଦି ଆମେ ବିରୋଧୀ ଦଳ କଥା କହିବା ତେବେ ବିଜେପିରେ ମାତ୍ର ଦୁଇଟି ନାମ ସାମ୍ନାକୁ ଆସୁଛି ସେ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ଏହି ଦୁଇ ନାମକୁ ଛାଡି ଦେଲେ ବିଜେପିରେ ଆଉ ସେଭଳି ଚିହ୍ନା ଚେହେରା ନାହିଁ । ତେବେ ଦ୍ୱନ୍ଦ ଏବେ ଏହି ଦୁଇ ପ୍ରତିଷ୍ଠ ଚେହେରା ମଧ୍ୟରୁ ବିଜେପି କାହା ଉପରେ ଆସ୍ଥା ପ୍ରକଟ କରିବ । ରାଜନୈତିକ ମହଲରେ ଯାହା ଚର୍ଚ୍ଚା ହେଉଛି ବର୍ତ୍ତମାନ ଏହି ଦୁହିଁଙ୍କ ମଧ୍ୟରେ କିଛି ଖାସ ସମ୍ପର୍କ ନାହିଁ ।

ଧର୍ମେନ୍ଦ୍ର ନା ଅପରାଜିତା?
ଏହି ଦୁଇ ପ୍ରତିଦ୍ୱନ୍ଦୀଙ୍କ କଥା ଯଦି ଦେଖିବା ଜଣେ ଗ୍ରାଉଣ୍ଡ ଫ୍ଲୋରରେ ରହି ଲୋକ ମାନଙ୍କ ସମସ୍ୟା ପାଇଁ ଲଢ଼ୁଥିବା ବେଳେ ଆଉ ଜଣେ ରାଜ୍ୟ ରାଜନୀତିରୁ ବର୍ତ୍ତମାନ କେନ୍ଦ୍ର ରାଜନୀତିରେ ପାରଙ୍ଗମ ହାସଲ କରୁଛନ୍ତି । ଯଦି ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଛିଡା କରେ ତେବେ ଧର୍ମେନ୍ଦ୍ରଙ୍କୁ ପୁଣି ରାଜ୍ୟ ରାଜନୀତିକୁ ଫେରିବାକୁ ପଡିବ । ରାଜ୍ୟର ସମସ୍ୟା ବିଷୟରେ ଧର୍ମେନ୍ଦ୍ର ଅବଗତ ଥିବା ବେଳେ ରାଜ୍ୟ ପାଇଁ କେନ୍ଦ୍ରକୁ ସୁପାରିଶ କରିବାକୁ ହେବ । କିଭଳି ରାଜ୍ୟର ଉନ୍ନତି ହେବ ରାଜ୍ୟର ଅଗ୍ରଗତି ହେବ ସେହି ସବୁ ଦିଗ ଉପରେ ଫୋକସ ଦେବାକୁ ହେବ ।
ସେପଟେ ରାଜନୈତିକ ଖଟିରେ ଯାହା ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାପାଇଁ ଅପରାଜିତା ମଧ୍ୟ ଆଶାବାନ୍ଧି ରହିଛନ୍ତି । ହେବେନି ଅବା କାହିଁକି , ଅପରାଜିତା ତାଙ୍କର କାର୍ଯ୍ୟଦକ୍ଷତା, ର୍ନିମଳ ଭାବମୂର୍ତ୍ତି ଏବଂ ଜନକଲ୍ୟାଣ ଜନ ସମସ୍ୟା ପାଇଁ ସର୍ବଦା ଶାସକ ଦଳକୁ ଟାର୍ଗେଟ କରିବା ସହିତ ଭୁଲ ଠିକ ପାଇଁ ଲଢ଼ିଛନ୍ତି । ତେବେ ଏଥିପାଇଁ ତାଙ୍କ ନିଜସ୍ୱ ଦଳ ମଧ୍ୟ ତାଙ୍କୁ ବହୁଥର ହାତଛାଡି ସମାଲୋଚନା କରିଥିବା ବେଳେ ସେ ତାଙ୍କର କର୍ତ୍ତବ୍ୟରେ କଦାପି ହେଳା କରି ନାହାନ୍ତି । ତେଣୁ ସେ ଦଳ ଉପରେ ଆଶାୟୀ ହୋଇ ରହିଛନ୍ତି ଯେ ତାଙ୍କୁ ନେଇ ଦଳ ନିଶ୍ଚୟ ଆଶା ବାନ୍ଧିବ ।

୨୦୨୪ ନିର୍ବାଚନକୁ ନେଇ ବିଜେପିର ରଣନୀତି: କେନ୍ଦ୍ରରେ ସରକାର ଗଠନ କରିବା ପରେ ଏବେ ଓଡିଶା ଉପରେ ବିଜେପିର ନଜର । ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସିଥିଲେ । ଏହି ଗସ୍ତରେ ଶାହା କହିଛନ୍ତିି ଓଡିଶାରେ ସେ ପରିବର୍ତ୍ତନ ଦେଖିଛନ୍ତି ଏବଂ ଏଥର ଓଡିଶାରେ ବିଜେଡି ସରକାର ନିଶ୍ଚୟ ଗଠନ ହେବ । ଶାହାଙ୍କ ସଙ୍କେତ ଯାହା ଇସାରା ଦେଉଛି ବିଜେପି ଏଥର ନିଶ୍ଚୟ ତାର ଶତ ପ୍ରତିଶତ ବିଜୟ ପାଇଁ ପ୍ରୟାସ କରିବ ।ଆଉ କିଛି ଦିନ ଗଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ବିଜେପି ତୁହା କୁ ତୁହା ତାର କର୍ମୀ ମାନଙ୍କୁ ଓଡିଶା ଗ୍ରାଉଣ୍ଡ କୁ ପଠେଇ ସ୍ଥିତିର ତର୍ଜମା କରୁଛି।

ବିଜୟ ଆଶାରେ ବିଜେପି ତାର ପ୍ରଥମ ଗୋଟି ଚାଳନା ମଧ୍ୟ କରି ଦେଇଛି । ଓଡିଶାର ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କୁ ବଦଳାଇ ସୁନୀଲ ବଂଶଲଙ୍କୁ ଦାଇତ୍ୱ ଦେଇଛନ୍ତି । ଆଉ ବଂଶଲ ଏବେ ଦୁଇ ଦିନିଆ ଓଡିଶା ଗସ୍ତରେ ମଧ୍ୟ ଆସିଛନ୍ତି । ସେ ଓଡିଶାରେ ବିଜେପି ସ୍ଥିତି କିଭଳି ଅଛି ତାହା ସବିଶେଷ ତଥ୍ୟ ସଂଗ୍ରହ କରିବା ସହିତ ଯୁବ ମୋର୍ଚ୍ଚା ଠାରୁ ଆରମ୍ଭ କରି ଦଳର ଆଗଧାଡିର ନେତା ମାନଙ୍କ ସହ ଆଲୋଚନା କରିବେ । ସୁନିଲ ବଂଶଲକେବଳ ଓଡିଶା ନୁହେଁ ପଶ୍ଚିମବଙ୍ଗ, ତେଲେଙ୍ଗେନାର ଦାଇତ୍ୱ ମଧ୍ୟ ତାଙ୍କୁ ମିଳିଛି କିନ୍ତୁ ଫୋକସ ଓଡିଶା ଉପରେ କରିବାପାଇଁ କୁହାଯାଇଛି । ବଂଶଲ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ କାମ କରୁଥିଲେ ଯାହା ଆଶାକରାଯାଉଛି ଏହି ଯୋଡିଙ୍କ ମଧ୍ୟରେ ଥିବା ସମୀକରଣ ଓଡିଶାର ରାଜନୀତିରେ ବହୁ ପରିବର୍ତ୍ତନ ଆଣିବ । ରାଜ୍ୟ ରାଜନୀତି ହେଉ ଅବା କେନ୍ଦ୍ର ସୁନିଲ ବଂଶଲଙ୍କ ଭୂମିକା ଏଥିରେ ବହୁତ । ଯଦି ଆମେ ଉତ୍ତରପ୍ରଦେଶ ନିର୍ବାଚନକୁ ଦେଖିବା ତେବେ ୟୁପିରେ ଯୋଗୀ ସରକାର ଗଠନ କରିବାରେ ବଂଶଲଙ୍କ ଭୂମିକା ବହୁତ । ବିଜେପି ସର୍ବଦା ବଂଶଲଙ୍କ ଉପରେ ଭରସା କରିଛି ଆଉ ସେହି ଭରସାକୁ ମଧ୍ୟ କାଏମ ରଖିବା ପାଇଁ ବଂଶଲ କାର୍ଯ୍ୟ କରି ଦେଖେଇଛନ୍ତି । ବଂଶଲଙ୍କ କଥା ହିଁ କାର୍ଯ୍ୟ କରେ ତେଣୁ ଓଡିଶାରେ ବିଜେପି ସ୍ଥିତିକୁ ସଦୃଢ଼ କରିବା ପାଇଁ ବଂଶଲ ହିଁ ବର୍ତ୍ତମାନ ରାଜ୍ୟ ବିଜେପିକୁ ସାହା।

ତେବେ ଦେଖିବା ବାକି ରହିଲା ୨୦୨୪ ନିର୍ବାଚନ ପାଇଁ ବିଜେପି କେତେ ପ୍ରସ୍ତୁତ ହୋଇ ପାରୁଛି । ଆଉ କେଉଁ ମହାରଥୀଙ୍କୁ ସେ ମୈଦାନକୁ କାଢ଼ୁଛି । କାରଣ ଓଡିଶା ବିଜେଡି ଗଡ ଭାବରେ ପରିଚିତ ଆଉ ନବୀନ ହେଉଛନ୍ତି ଓଡିଶାର ସାଢ଼େ ଚାରି କୋଟିଙ୍କ ମଉଡମଣି । ଓଡିଶାବାସୀଙ୍କ ମନରୁ ନବୀନଙ୍କ ହଟାଇବା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ଦେଖିବା ବାକି ରହିଲା ବଂଶଲଙ୍କ ଭୂମିକା ଏଥର ଓଡିଶା ରାଜନୀତିରେ କେଉଁ ପରିବର୍ତ୍ତନ ଆଣି ପାରୁଛି ।

Get real time updates directly on you device, subscribe now.