fbpx

ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଯୋଗଦେବେ ୨୫ଟି ରାଜନୈତିକ ଦଳ- ସୂତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ । ଏନେଇ ଗତ ୧୮ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସଂସଦ ଭବନକୁ ଉଦଘାଟନ କରିବା ଉଚିତ ବୋଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବୟକଟ ଘୋଷଣା କରାଯାଇଥିଲା ।

ଏପରିକି ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ଯାଚିକା ଦାୟର ହୋଇଥିଲା । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରେ ୨୫ଟି ରାଜନୈତିକ ଦଳ ଯୋଗଦେବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ କଂଗ୍ରେସ ସମେତ ୧୮ଟି ଅନ୍ୟ ଦଳ ଏହି ଉତ୍ସବ ଠାରୁ ନିଜକୁ ଦୂରେଇ ରଖିବେ ବୋଲି କୁହାଯାଉଥିଲା । ତେବେ ଏହି ଦଳଗୁଡ଼ିକର ୨୪୨ ଜଣ ସାଂସଦ ଉଭୟ ଲୋକସଭା ଓ ରାଜ୍ୟସଭାରେ ରହିଛନ୍ତି ।

ତେବେ ଯେଉଁ ଦଳଗୁଡ଼ିକ ଏହି ଉତ୍ସବରେ ଯୋଗଦେବେ ବୋଲି କୁହାଯାଉଛି ସେମାନଙ୍କ ମଧ୍ୟରେ ବିଜେପି, ଶିବସେନା, (ଏକନାଥ ଶିନ୍ଦେ ଗ୍ରୁପ), ଏନପିସି, ଏନଡିପିପି, ଏସକେଏମ, ଆରଏଲଜେପି, ଅପନା ଦଳ, ଆରପିଆଇ, ତାମିଲ ମାନିଲା କଂଗ୍ରେସ, ଏଆଇଏଡିଏମକେ, ଏଜେଏସୟୁ, ଏମଏନଏଫ, ୱାଇଏସଆରସିପି, ସିଡିପି, ଏସଏଡି, ବିଜେଡି । ତେବେ ଏହି ଦଳଗୁଡ଼ିକ ଆହୁରି ଅନେକ ଦଳ ଯୋଗଦେବା ନେଇ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଡିସେମ୍ବର ୧୦ ତାରିଖରେ ପିଏମ୍ ମୋଦୀ ନୂଆ ସଂସଦ ଭବନର ନିର୍ମାଣର ଶିଳାନ୍ୟାସ କରିଥିଲେ । ଏନେଇ ୨୦୧୯ ମସିହା ଅଗଷ୍ଟ ୫ରେ ଲୋକସଭା ଓ ରାଜ୍ୟସଭାରେ ସୂଚନା ଦିଆଯାଇଥିଲା । ଏଥିପାଇଁ ୮୬୦ କୋଟି ଖର୍ଚ୍ଚ ଆକଳନ କରାଯାଇଥିଲେ ହେଁ ତାହା ୧୨୦୦ କୋଟିରେ ପହଞ୍ଚି ଯାଇଥିଲା । ଏହି ୪ ମହଲା ବିଶିଷ୍ଟ ଭବନରେ ୧୨୨୪ ଜଣ ସାଂସଦ ବସିବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.