fbpx

ମୋବାଇଲ୍ ଆପରେ ଠକିନେଲେ ୨୫୦ କୋଟି: ୧୫ ଦିନରେ ପଇସା ଡବଲ୍ ଥିଲା ବାହାନା, ୫୦ ଲକ୍ଷ ଲୋକ କରିସାରିଥିଲେ ଡାଉନଲୋଡ୍, ଜାଣନ୍ତୁ ଆହୁରି ଅନେକ କଥା…

ଡେରାଡୁନ: ଦେଶର ଏକ ବଡ଼ଧରଣର ଠକାମି ଘଟଣା ଡେରାଡୁନରୁ ଆସିଛି । ମୋବାଇଲ ଆପରେ ସାଧାରଣଲୋକଙ୍କୁ ୨୫୦ କୋଟି ଟଙ୍କାର ଚୁନା ଲଗାଇଛନ୍ତି ଠକମାନେ । ଏହି ଆପକୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରିସାରିଥିଲେ । ଉତ୍ତରାଖଣ୍ଡ ଏସଟିଏଫ୍ ଏହି ଠକମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ମାତ୍ର ୪ ମାସ ମଧ୍ୟରେ ଏତେବଡ଼ ଧରଣର ଠକାମି କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ମାତ୍ର ୧୫ ଦିନ ମଧ୍ୟରେ ଲୋକଙ୍କ ପଇସା ଡବଲ୍ ହୋଇଯିବ ବୋଲି ଠକମାନେ ଲାଳସା ଦେଖାଇଥିଲେ । ଫଳରେ ୫୦ ଲକ୍ଷରୁ ଅଧିକ ଲୋକ ଏହି ଆପକୁ ଡାଉନଲୋଡ୍ କରିସାରିଥିଲେ । ଏହି ଆପର ନାମ ଥିଲା ‘ପାୱାର ବ୍ୟାଙ୍କ ଆପ୍’ । ହରିଦ୍ୱାରର ଜଣେ ବ୍ୟକ୍ତି ଲୋଭର ବଶବର୍ତ୍ତୀ ଏହି ଏହି ଆପରେ ଏକ ଲକ୍ଷ ୬୫ ହଜାର ଜମା କରିଥିଲେ । ମାତ୍ର ପଇସା ନ ମିଳିବାରୁ ସେ ପୋଲିସରେ ମାମଲା ଦାୟର କରିଥିଲେ । ପୋଲିସ ଏହି ଘଟଣାର ଯାଞ୍ଚ ପରେ ମୋଟ ୨୫୦ କୋଟିର ଠକାମି ହୋଇଥିବା ପର୍ଦ୍ଦାଫାଶ୍ କରିଥିଲା । ପୋଲିସ ଅଭିଯୁକ୍ତଙ୍କ ଠାରୁ ୧୯ଟି ଲାପଟପ୍, ୫୯୨ଟି ସିମ୍, ୫ ମୋବାଇଲ, ୪ ଏଟିଏମ୍ କାର୍ଡ ଓ ୧ ପାସପୋର୍ଟ ଜବତ କରିଛି । ଏହି ଅର୍ଥକୁ ଅପରାଧୀମାନେ କ୍ରିପ୍ଟୋ କରେନ୍ସିରେ ପରିବର୍ତ୍ତନ କରି ବିଦେଶକୁ ପଠାଉଥିଲେ ବୋଲି ପୋଲିସ ସୂଚନା ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.