fbpx

ଆଜି ଦ୍ୱିତୀୟ ଟେଷ୍ଟ: ଦବ୍‌ଦବା ଜାରି ଲକ୍ଷ୍ୟରେ ଭାରତ, ଅଷ୍ଟ୍ରେଲିଆ ପୁଣି ଆଉ ଏକ ଅଗ୍ନି ପରୀକ୍ଷାର ସମ୍ମୁଖୀନ

Advertisement

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଘରୋଇ ଟେଷ୍ଟ କ୍ରିକେଟ ସିରିଜ ଭଲ ବ୍ୟବଧାନରେ ଜିତିବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ। ନଚେତ ଚଳିତ ବର୍ଷର ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପାଇନାଲ ଖେଳିବା ଆଶା ମଉଳି ଯିବ। ତେଣୁ ଅଷ୍ଟ୍ରେଲିଆକୁ ୩-୦ କିମ୍ବା ୩-୧ରେ ପରାସ୍ତ କଲେ ଭାରତର ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପାଇନାଲ ଖେଳିବା ଯୋଜନା ଫଳପ୍ରଦ ହୋଇ ପାରିବ । ନାଗପୁରରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ସ୍ପିନରଙ୍କ ସଫଳତାକୁ ଆଧାର କରି ଭାରତ ଏକ ଇନିଂସ ଓ ୧୩୨ ରନରେ ଅଷ୍ଟ୍ରେଲିଆକୁ ହରାଇଥିଲା। ତେଣୁ ଭାରତ ପୁଣି ସେହି ଧାରାକୁ ବଜାୟ ରଖି ପାରିଲେ ବିଜୟ ଆଶା କରି ପାରିବ।

ଭାରତୀୟ ଦଳ ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମ ପିଚକୁ ଅନୁଧ୍ୟାନ କରି ଅଭ୍ୟାସ କରୁଛନ୍ତି। ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଜଣେ ଅଭିଜ୍ଞ ବ୍ୟାଟର ଥିଲେ। ଦେଶ ବିଦେଶର ସବୁ ପିଚରେ ତାଙ୍କର ଖେଳିବା ଅନୁଭୂତି ରହିଛି। ତେଣୁ ଏହି ପିଚର କଣ୍ଡିସନକୁ ଅନୁଧ୍ୟାନ କରି ଖେଳାଳିଙ୍କୁ ଟିପ୍ସ ଦେଉଛନ୍ତି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ଦଳ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ରଖିଛି। ମୁଖ୍ୟତଃ ଭାରତୀୟ ସ୍ପିନ ଆକ୍ରମଣକୁ କିପରି ପ୍ରତିହତ କରିବାକୁ ପଡିବ,ସେଥିପାଇଁ ଜୋରଦାର ମାନସିକ ପ୍ରସ୍ତୁତି ଚଳାଇଛି। ଶନିବାର ଠାରୁ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ବିଜୟୀ ହେବା ପାଇଁ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହେବ ବୋଲି ଅନୁମାନ।

ନାଗପୁର ଟେଷ୍ଟରେ ଭାରତର ଟପ୍ ଅର୍ଡର ବ୍ୟାଟର କେଏଲ ରାହୁଲ, ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । କାରଣ ଏହି ପିଚ ମନ୍ଥର ଟର୍ଣ୍ଣ କରିବା ଫଳରେ ଏହି ସମସ୍ତ ବ୍ୟାଟର ଖାପ ଖୁଆଇ ଆଶାନୁରୂପ ପ୍ରଦର୍ଶନ କରି ପାରିଲେ ନାହିଁ । ମାତ୍ର ଦିଲ୍ଲୀ ଟେଷ୍ଟରେ ଏମାନଙ୍କ ଠାରୁ ଅଧିକ ଯୋଗଦାନ ଆଶା କରା ଯାଏ । ପୂଜାରା ଏଠାରେ ଟେଷ୍ଟ ଜୀବନର ୧୦୦ତମ ଟେଷ୍ଟ ଖେଳିବେ । ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ ସେ ବରାବର ଚେଷ୍ଟା କରିବେ । ସେହିପରି ବିରାଟ କୋହଲିଙ୍କର ଏହା ହେଉଛି ଘରୋଇ ଗ୍ରାଉଣ୍ଡ । ପୂର୍ବରୁ କୋହଲି ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

Get real time updates directly on you device, subscribe now.