fbpx
BSKY
BJD SHG SKY
BJD YOUTH SKY

ଅତିକ ଅହମଦ ହତ୍ୟା ମାମଲା: ନ୍ୟାୟିକ କମିଶନ ଗଠନ କଲେ ୟୁପି ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗତକାଲି ରାତିରେ ତିନିଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ । ସାମ୍ବାଦିକ ବେଶରେ ଆସିଥିବା ଶୁଟରମାନେ ପ୍ରୟାଗରାଜର ଏକ ମେଡିକାଲ ବାହାରେ ଅତିକ ଓ ଅଶରଫଙ୍କ ଉପରୁ ଗୁଳିବର୍ଷା କରିଥିଲେ । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି ।

ତେବେ ଏହି ମାମଲାରେ ୟୁପି ସରକାର ଏକ ୩ ଜଣିଆ ନ୍ୟାୟିକ କମିଶନ ଗଠନ କରିଛନ୍ତି । ଆସନ୍ତା ୨ ମାସ ମଧ୍ୟରେ ଏହି ହତ୍ୟାକାଣ୍ଡର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରାଯିବ । ୧୯୫୨ କମିଶନ ଇନକ୍ୱାରୀ ଆକ୍ଟ ଅନୁସାରେ ଗୃହ ମନ୍ତ୍ରଣାଳୟ ତରଫରୁ ଗଠିତ ୩ ଜଣିଆ ଆୟୋଗ ଏହାର ରିପୋର୍ଟ ଦେବେ । ଅବସରପ୍ରାପ୍ତ ହାଇକୋର୍ଟ ଜଜ ଅରବିନ୍ଦ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଜଜ ବ୍ରିଜେଶ କୁମାର ସୋନି ଓ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସୁବେଶ କୁମାର ସିଂହ ଏହି ଆୟୋଗର ସଦସ୍ୟ ରହିଥିବା ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ପ୍ରୟାଗରାଜକୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଓ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା କରାଯାଇଥିଲା । ଏହା ପୂର୍ବରୁ ଅତିକଙ୍କ ପୁଅଙ୍କୁ ମଧ୍ୟ ଏନକାଉଣ୍ଟର କରାଯାଇଥିଲା । ଭିଡ଼ ଭିତରୁ ଅତିକ ଓ ତାଙ୍କ ଭାଇଙ୍କ ଉପରକୁ ଅତି ନିକଟରୁ ଫାୟାରିଂ କରାଯାଇଥିଲା । ଏହି ହତ୍ୟାକାଣ୍ଡକୁ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ବିଫଳତା କୁହାଯିବା ସହ ଅତିକଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ୧୭ ଜଣ ପୋଲିସଙ୍କୁ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.