ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଶାଧୂପ, ଭଦ୍ରକରେ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ଭୁବନେଶ୍ୱର : ଆଜିକାଲି ଚାରିଆଡେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ବର୍ଷାଦିନେ ଚାରିଆଡ଼େ ପାଣି ଜମି ରହୁଥିବାରୁ ମଶାମାନଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ। ଫଳରେ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ସୃଷ୍ଟି ହୋଇଥାଏ । ଏହି ରୋଗରୁ ରକ୍ଷା ପାଇବା ପାଇଁ ଏବଂ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେମାନେ ବିଭିନ୍ନ ପ୍ରକାରର ମଶା ଧୂପ, ଝୁଣା, ବ୍ୟାଟେରୀଚାଳିତ ମେସିନ୍‌ ଓ ମଶା ମାରିବା ବ୍ୟାଟ୍‌ର ଆଦି ବ୍ୟବହାର କରିଥା’ନ୍ତି। କିନ୍ତୁ ମଶା ମାରୁଥିବା ଏହି ଧୂପ ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ।

ଏହାର ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ଦେଖିବାକୁ ମିଳିଛି, ଯେଉଁଠାରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ହୋଇଥିବା ମା’ ସସ୍ମିତା ଦାସ(୩୦) ଓ ଝିଅ ପ୍ରୀତିପ୍ରଭା (୧୦) ଏବଂ ପଡ଼ୋଶୀ ଲିଜା ମଳିକ(୧୩) ବୋଲି ଜଣାଯାଇଛି। ଶନିବାର ରାତିରେ ଗୋଟେ କୋଠରିରେ ମଶାଧୂପ ଦେଇ ୩ଜଣ ଶୋଇଥିଲେ। ରବିବାର ସକାଳେ ସେମାନେ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା। ପରେ ସେମାନେ ପଞ୍ଚାୟତର ସରପଞ୍ଚଙ୍କୁ ଖବର ଦେଇଥିଲେ।

ସରପଞ୍ଚ କୁନ୍ତଳା ମଲିକ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପରେ ଗ୍ରାମବାସୀ କୋଠରିର ଝରକା ଭାଙ୍ଗି ସେମାନଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ଅସୁସ୍ଥ ମା’ ଝିଅ ସମେତ ୩ଜଣଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ମା’ ସସ୍ମିତା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ତେବେ ମଶାଧୂପରୁ ବାହାରୁଥିବା ଧୂଆଁରୁ କ୍ଷୁଦ୍ର କଣିକା ବାୟୁରେ ପ୍ରବେଶ କରିଥାଏ। ଏହି ଧୂଆଁରୁ ବାହାରୁଥିବା ଟକ୍ସିକ୍ କଣିକା ଆମ ଶରୀର ପକ୍ଷେ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏହି ଧୂଆଁ ୩ପ୍ରକାରର ଟକ୍ସିନ୍ ନିର୍ଗତ କରିଥାଏ ଯାହା ଦ୍ବାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ। ଅନ୍ୟାନ୍ୟ ଫୁସଫୁସଜନିତ ରୋଗ ମଧ୍ୟ ଏହା ଯୋଗୁଁ ହୋଇଥାଏ।