fbpx

ପୋଲିସ ବାବୁ ଆଉ ଚଳିବ ନାହିଁ, ଏଥର ମଦ ପିଇଲେ ସିଧା ଅବସର ; ୩୦୦ ଅଧିକାରୀଙ୍କୁ ଦିଆଯିବ ସ୍ୱେଚ୍ଛାକୃତ ଅବସର

ନୂଆଦିଲ୍ଲୀ : କୁହାଯାଏ ମାଛ ଖାଇବ ଇଲିସୀ ଆଉ ଚାକିରୀ କରିବ ପୋଲିସ୍ । ଏହାର ଅର୍ଥ ପୋଲିସ ଚାକିର ଟିଏ ମିଳିଗଲେ କଥା ସରିଲା । ପୁରା ପଞ୍ଚମରେ ବୃହସ୍ପତ୍ତି । ଯାହା ଇଚ୍ଛା କରିବୁ ହେଲେ ଆମକୁ କହିବା ବାଲା କିଏ ଅଛି । ମଦ ପିଇବୁ, ଗାଳି ଗୁଲଜ କରିବୁ, ଖରାପ ବ୍ୟବହାର କରିବୁ, ବଟି ମଧ୍ୟ ଆଦାୟ କରିବୁ । ଆମକୁ କହିବାକୁ ଏବଂ ଅଟକାଇବାକୁ କେହି ନାହିଁ । କିନ୍ତୁ ଏବେ ଆଉ ସେ ସବୁ ଚଳିବ ନାହିଁ । ଏବେ ପୋଲିସ ବାବୁଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ମଦ୍ୟପ ପୋଲିସକୁ ସାବାଡ କରିବାକୁ ଦିଆଯିବ ସ୍ୱେଚ୍ଛାକୃତ ଅବସର ବା ବାଧ୍ୟତାମୂଳକ ଅବସର । ଏହାର ଅର୍ଥ ମଦ ପିଇଲେ ଚାକିରି ଗଲା ।

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏହି ନିୟମ ଲାଗୁ କରିଛନ୍ତି । ମଦ୍ୟପ ପୋଲିସ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆସାମ ସରକାର ପ୍ରସ୍ତୁତ ହୋଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ନିଜେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ‘ମଦ୍ୟପାନର ନିଶା’ କାରଣରୁ ରାଜ୍ୟରେ ପ୍ରାୟ ୩୦୦ ପୋଲିସ ଅଧିକାରୀଙ୍କୁ ସ୍ୱେଚ୍ଛାକୃତ ଅବସର ବା ବାଧ୍ୟତାମୂଳକ ଅବସର ଦିଆଯିବ । ଅର୍ଥାତ୍ ଅଭ୍ୟାସଗତ ମଦ୍ୟପ ପୋଲିସ କର୍ମଚାରୀଙ୍କୁ ଭିଆରଏସ ଦିଆଯିବ ଯାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ସରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ‘ପ୍ରାୟ ୩୦୦ ଅଧିକାରୀ ଏବଂ ଯବାନ ମଦ୍ୟପାନ ବା ନିଶା ସେବନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ମଧ୍ୟ ଗୃହ ବିଭାଗର ଦାୟିତ୍ୱ ତୁଲାଇଛନ୍ତି। ଏକ କାର୍ଯ୍ୟାକ୍ରମ ପରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି, “ଏ ବାବଦରେ ପୁରୁଣା ନିୟମ ଅଛି କିନ୍ତୁ ଆମେ ଏହାକୁ ବ୍ୟବହାର କରିନାହୁଁ।”

ସୂଚନାଯୋଗ୍ୟ, ମେ ୧୦ ରେ ଆସାମର ହିମନ୍ତ ବିଶ୍ୱ ସର୍ମା ସରକାର ଦୁଇ ବର୍ଷ ପୂରଣ କରୁଛନ୍ତି। ଏହି ଅବସରରେ ସେ କିଛି ନୂଆ ନିୟମ କାର୍ଯ୍ୟକାରୀ କରିପାରନ୍ତି । ଏହି ନିୟମ ଅନେକ ରାଜ୍ୟରେ ପ୍ରଯୁଜ୍ୟ କିନ୍ତୁ ଆସାମରେ ଏହା ପ୍ରଥମ ଥର ପାଇଁ କାର‌୍ୟ୍ୟକାରୀ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ହିମନ୍ତ କହିଛନ୍ତି ଯେ ଏହି ଭିଆରଏସ ନେଇଥିବା ପୋଲିସ ଅଧିକାରୀମାନେ ଦରମା ପାଇବେ । ଅର୍ଥାତ୍ ସେମାନଙ୍କୁ ସେମାନଙ୍କର ବେଶିକ୍ ସାଲାରୀ ମିଳିବ । କିନ୍ତୁ ତାଙ୍କ ସ୍ଥାନରେ ବା  ପଦବୀରେ ନୂତନ ଅଧିକାରୀ ଡ୍ୟୁଟି କରିବେ ।

Get real time updates directly on you device, subscribe now.