fbpx

ବ୍ୟାଙ୍କ କର୍ମଚାରୀଙ୍କୁ ଟଏଲେଟ୍‌ରେ ବନ୍ଦ କରି ୩୨ କେଜି ସୁନା ଲୁଟିନେଲେ ଡକାୟତ

ଚେନ୍ନାଇ: ଆଜିକାଲି ଚୋରମାନେ ଭିନ୍ନ ଭିନ୍ନ ଉପାୟରେ ଚୋରି କରିବାର ଖବର ସାମ୍ନାକୁ ଆସୁଛି। ଗତକାଲି ଚେନ୍ନାଇରେ ଏମିତି କିଛି ନିଆରା ତରିକା ଆପଣାଇ ଚୋରମାନେ ଏକ ବ୍ୟାଙ୍କ୍‌ରୁ ୩୨ କେଜିର ସୁନା ଲୁଟିଛନ୍ତି। ଲୁଟେରାମାନେ ଯେଉଁ ଉପାୟରେ ଚୋରି କରିଥିଲେ ତାହା ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ବ୍ୟାଙ୍କ୍‌ର ଲକର୍‌ରେ ଥିବା ସୁନାକୁ ଲୁଟିବା ପାଇଁ ଚୋରମାନେ କର୍ମଚାରୀମାନଙ୍କୁ ଟଏଲେଟ୍‌ରେ ବନ୍ଦ କରି ଦେଇଥିଲେ। ଏହା ପରେ ୩୨ କେଜି ସୁନା ନେଇ ଚୋମାନେ ସହଜରେ ଫେରାର୍ ହୋଇଯାଇଥିଲେ।

ସୂଚନାନୁସାରେ, ଚେନ୍ନାଇ ସହରର ଆରୁମ୍ବାକ୍କମ ଅଞ୍ଚଳରେ ଅବସ୍ଥିତ ଫେଡବ୍ୟାଙ୍କ ଗୋଲ୍ଡ ଲୋନ୍‌ର ବ୍ୟାଙ୍କର ଏହି ସୁନା ଚୋରି ମାମଲା। ଯେଉଁଠାରେ ତିନିଜଣ ମାସ୍କ ପିନ୍ଧିଥିବା ଡକାୟତମାନେ ସୁନା ଲୁଟ୍ କରିଛନ୍ତି। ସିଟି ପୋଲିସ କମିଶନର ଶଙ୍କର ଜିୱାଲ କହିଛନ୍ତି ଯେ ମାସ୍କ ପିନ୍ଧିଥିବା ତିନିଜଣ ଡକାୟତ ଶନିବାର ସନ୍ଧ୍ୟାରେ ବ୍ୟାଙ୍କକୁ ଆସିଥିଲେ। ସେମାନେ ପ୍ରଥମେ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ଷ୍ଟ୍ରଙ୍ଗ୍ ରୁମ୍‌ର ଚାବି ନେଇଥିଲେ। ଏହା ପରେ ଡକାୟତମାନେ ତିନିଜଣ କର୍ମଚାରୀଙ୍କୁ ଟଏଲେଟ୍‌ରେ ବନ୍ଦ କରି ଦେଇଥିଲେ। ଏହା ପରେ ଡକାୟତମାନେ ସୁନା ସହିତ ସହଜରେ ଖସି ପଳାଇଲେ।

ଡକାୟତି ସମ୍ପର୍କରେ ସୂଚନା ଦେଇ ସିଟି ପୋଲିସ କମିଶନର ଶଙ୍କର ଜିୱାଲ କହିଛନ୍ତି ଯେ ବ୍ୟାଙ୍କରୁ ମିଳିଥିବା ସୂଚନା ଅନୁଯାୟୀ ଡକାୟତମାନେ ୩୨ କିଲୋଗ୍ରାମ ସୁନା ଲୁଟ କରିଛନ୍ତି। ଯାହାର ମୂଲ୍ୟ ୨.୫ କୋଟି ଟଙ୍କା ହୋଇପାରେ। ଡକାୟତି ମାମଲାରେ ପୋଲିସ ସନ୍ଦେହ କରୁଛି ଯେ ଜଣେ ବ୍ୟାଙ୍କ କର୍ମଚାରୀ ଡକାୟତଙ୍କ ସହ ମିଶିଛନ୍ତି। ପୋଲିସ କହିଛି ଯେ ଡକାୟତମାନେ ଭିତରକୁ ଜାଣିଥିଲେ। ପୋଲିସର ଯୁଗ୍ମ କମିଶନର ଟି.ଏସ୍ ଅନୁବୁ କହିଛନ୍ତି ଯେ ଏହି ବ୍ୟାଙ୍କର ବର୍ତ୍ତମାନର କର୍ମଚାରୀ ଏହି ଡକାୟତିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହାକୁ ଆଧାର କରି ପୋଲିସ ଏହାର ତଦନ୍ତ ବୃଦ୍ଧି କରିଛି। ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରୁଛି।

Get real time updates directly on you device, subscribe now.