fbpx

୬୩ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ହେବ । ଏଥିପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି । ରାଜ୍ୟର ୬୩ ହଜାର ୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ । ଏଥିସହ ଉଚ୍ଚପ୍ରାଥମିକସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ । ସେହିପରି ଉଭୟସ୍ତରାରେ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ପୂରଣ ହୋଇପାରିବ ବୋଲି କୁହାଯାଇଛି ।

ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ୱାରା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ପରିଚାଳନା ଏବଂ ଶୈକ୍ଷିକ ପରିବେଶରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ପ୍ରସ୍ତାବ ଅନୁସାରେ ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪କୁ ପଦୋନ୍ନତି ପାଇବେ । ସେହିପରି ଲେଭେଲ-୪ରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍େଟମ୍ବର ମାସ ସୁଦ୍ଧା ଲେଭେଲ-୩କୁ ପଦୋନ୍ନତି ପାଇବେ । ଲେଭେଲ-୫(ବି)ରେ ଥିବା ସହକାରୀ ଶିକ୍ଷକଙ୍କ ପାଇଁ ରେସିଡେନ୍ସି ପିରିଅଡକୁ ଏକ ବର୍ଷରୁ ୬ ମାସ କରାଯାଇଥିବାବେଳେ, ଲେଭେଲ-୪ରୁ ଲେଭେଲ-୩କୁ ପଦୋନ୍ନତି ପାଇବା ପାଇଁ ରେସିଡେନ୍ସି ପିରିଅଡର ସୀମା ୨ ବର୍ଷରୁ ୧ ବର୍ଷ କରାଯାଇଛି ।

ସୂଚନାଯୋଗ୍ୟ ଯେ ୨୦୧୯ରେ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଲେଭେଲ-୪ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ଟି ପଦବୀ ସୃଷ୍ଟି କରାଯାଇଥିଲା ଏବଂ ଲେଭେଲ-୩ରେ ଥିବା ୯୩୦୫ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦୋନ୍ନତି ପାଇବାକୁ ଯାଉଥିବା ସମସ୍ତ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମର ସଫଳତାରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Get real time updates directly on you device, subscribe now.