fbpx

BIG BREAKING: ୩ୟ ଟି-୨୦ରେ ଅଷ୍ଟ୍ରେଲିଆ ବିଜୟୀ: ତଥାପି ୨-୧ ଆଗରେ ରହିଛି ଭାରତ

ଗୁଆହାଟୀ: ଗୁଆହାଟୀଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦ରେ ଅଷ୍ଟ୍ରେଲିଆର ବିଜୟ। ବହୁ ସଂଘର୍ଷ କରି ଶେଷରେ ଭାରତକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ ଦଳ। ଅଷ୍ଟ୍ରେଲିଆ ଆଗରେ ଭାରତ ୨୨୩ ରନର ଟାର୍ଗେଟ ରଖିଥିବା ବେଳେ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇଛି କଙ୍ଗାରୁ ଦଳ। ଶେଷ ବଲରେ ଦୁଇ ରନ ଆବଶ୍ୟକ ଥିବା ବେଳେ ଚୌକା ମାରି ୫ ୱିକେଟରେ ବିଜୟ ଲାଭ କରିଛି ଅଷ୍ଟ୍ରେଲିଆ।

ସୂଚନା ଥାଉକି, ଆଜିର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ହେଲେ ଆରମ୍ଭରୁ ୨ଟି ୱିକେଟ ହରାଇ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ। ମାତ୍ର ଋତୁରାଜ ଗାଏକ୍ଵାଡଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିପାରିଥିଲା ଭାରତ। ଯେଉଁଥିରେ ଯଶସ୍ୱୀ ଜୟସ୍ୱାଲ ୬ ରନ ଓ ଇଶାନ କିଷନ ୦ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୩୯ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଋତୁରାଜ ଓ ତିଲକ ବର୍ମା ଏକ ଶତକୀୟ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ। ଗାଏକ୍ୱାଡ ଅପରାଜିତ ୧୨୩ରନ କରିଥିବାବେଳେ ବର୍ମା ଅପରାଜିତ ୩୧ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୨୨ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ କେନ ରିଚାର୍ଡସନ, ଜାସନ ବେହେରେନଡ୍ରଫ ଓ ଆରନ ହାର୍ଡି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ପରେ ଦ୍ୱିତୀୟ ଇନିଂସରେ ଅଷ୍ଟେଲିଆ ବ୍ୟାଟିଂ କରି ଟାର୍ଗେଟ ପୂରଣ କରିବାକୁ ଯାଇ ବହୁ ସଂଘର୍ଷ କରିଥିଲା। ତେବେ ଏହି ମ୍ୟାଚରେ ଗ୍ଲେନ ମାକ୍ସୱେଲ ଶତକୀୟ ଇନିଂସ ଖେଳି ପୁଣି ଚମତ୍କାରିତା ଦେଖାଇଥିଲେ। ସେ ମାତ୍ର ୪୮ଟି ବଲରୁ ୧୦୪ ରନ କରି ଦଳୀୟ ସ୍କୋରକୁ ବୃଦ୍ଧି କରାଇବାରେ ସହାୟକ ହୋଇଥିଲେ। ସେହିପରି ଟ୍ରାଭିସ ହେଡ୍ ୩୫ ରନ କରିଥିବାବେଳେ ମାଥ୍ୟ ୱେଡେ ୨୮ ରନ କରିଥିଲେ। ଭାରତ ପକ୍ଷରୁ ୨୨୩ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଶେଷ ବଲରେ ଚୌକା ମାରି ବିଜୟ ହାସଲ କରିଥିଲା ଅଷ୍ଟ୍ରେଲିଆ ଦଳ।

ସୂଚନା ଯୋଗ୍ୟ, ଟିମ୍ ଇଣ୍ଡିଆ ବର୍ତ୍ତମାନ ସିରିଜରେ ୨-୧ ରେ ଆଗୁଆ ରହିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜ ଖେଳାଯିବ। ତେବେ ପ୍ରଥମ ଓ ଦ୍ୱିତୀୟ ମ୍ୟାଚ ଭାରତ ଜିତିଥିବା ବେଳେ ତୃତୀୟ ମ୍ୟାଚରେ ପରାଜୟ ସାମ୍ନା କରିଛି।

Get real time updates directly on you device, subscribe now.