ନୂଆଦିଲ୍ଲୀ: କର୍ଣ୍ଣାଟକର କଲବୁର୍ଗୀ ସେଣ୍ଟ୍ରୋଲ ଜେଲରୁ ପୁଣି ଥରେ ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କଏଦୀମାନେ ଖୋଲାଖୋଲି ଭାବେ ମଦ୍ୟପାନ, ସିଗାରେଟ ଟାଣୁଥିବା ଏବଂ ଜେଲ ବାର ପଛରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ନିକଟରେ ଜେଲ ପ୍ରଶାସନ 6 ଜଣ କୁଖ୍ୟାତ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଭିଡିଓ ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି । ସମସ୍ତେ ଏକାଠି ବସି ମଦ ପିଉଥିବାର ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
ଭିଡିଓରେ ଦେଖାଯାଇଛି ଯେ, 4 ଜଣ କଏଦୀ ଜେଲ ଭିତରେ ଏକାଠି ବସିଛନ୍ତି । ଏକାଠି ହୋଇ ମଦ ପିଇ ଆନନ୍ଦିତ ହେଉଥିବା ଦେଖାଯାଇଛି । ସେମାନଙ୍କ ନିକଟରେ ମୋବାଇଲ ଫୋନ ସାଙ୍ଗକୁ ଚାର୍ଜର ମଧ୍ୟ ରହିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଜିଲ୍ଲା ଅଧୀକ୍ଷକଙ୍କୁ ଉଡାଇବା ପାଇଁ ଧମକ ଦେଇଥିବା ଅଭିଯୁକ୍ତମାନେ ହିଁ ଏହି ଭିଡିଓରେ ରହିଛନ୍ତି । ଗୁରୁବାର ଦିନ ଏହି କଏଦୀମାନଙ୍କୁ ଅନ୍ୟ ଏକ ଜେଲକୁ ସ୍ଥାନାନ୍ତରିତ କରିଥିଲା । ତେବେ ଏହି ଭିଡିଓକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜଣେ ଜେଲ ଅଧିକାରୀ ଏହାକୁ 2 ବର୍ଷ ପୁରୁଣା ବୋଲି ଦାବି କରିଛନ୍ତି । ଅନ୍ୟଜଣ ଅଧିକାରୀ ଚାଗୁଣ୍ଡରେ ପାଣି ମିଶାଯାଇଥିବା କଥା କହିଛନ୍ତି ।