fbpx

ଆଜି ପୁଣି ୪ ଶହ ଟପିଲା କରୋନା: ରାଜ୍ୟରୁ ଚିହ୍ନଟ ହେଲେ ୪୩୩ ପଜିଟିଭ୍, ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି ।

ଆଜି ୪୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୫୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୬୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୯ ହଜାର ୨୬୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୨୭୭ ରହିଥିବା ବେଳେ ୪ ହଜାର ୬୨୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୩୧୬କୁ ବୃଦ୍ଧି ପାଇଛି । ମୟୂରଭଞ୍ଜରୁ ଦୁଇଜଣ, ଖୋର୍ଦ୍ଧା ଓ ଜଗତସିଂହପୁରରୁ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.