ପୁଣି ଅମାନୁଷିକ କାଣ୍ଡ, ୫ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ତଣ୍ଟି କାଟି ବିଲରେ ଫୋପାଡ଼ି ଦେଲେ ଅଭିଯୁକ୍ତ

ଅପହରଣ, ରେପ୍ ପରେ ହତ୍ୟା।

ବିହାର: ପୁଣି କାମାନ୍ଧ ପୁରୁଷ ହାତରେ ନାବାଳିକାର ଜୀବନ। ପ୍ରଥମେ ଦୁଷ୍କର୍ମ କଲା ପରେ ଅତି ନିର୍ମମ ଭାବରେ କୁନି ଝିଅର ହତ୍ୟା କରିଦେଲା ନରରାକ୍ଷସ।

ବାରମ୍ୱାର ମଣିଷ ରୂପୀ ପଶୁଙ୍କ ଶିକାର ହେଉଛନ୍ତି ନିରୀହ ନାବାଳିକା, ଯୁବତୀ ଓ ମହିଳା। ଦୁଇ ଦିନ ପୂର୍ବେ ଆମ୍ବୁଲାନ୍ସରେ ଜଣେ ହୋମଗାର୍ଡ ପ୍ରାର୍ଥୀ ଝିଅକୁ ଗଣଦୁଷ୍କର୍ମ କରାଯିବା ପରେ, ଏବେ ଜଣେ ୫ ବର୍ଷର କୁନି ଝିଅକୁ ଅପହରଣ, ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି।

ନିଖୋଜ ହୋଇଗଲା ଝିଅ:  ସୂଚନାନୂଯାୟୀ, ବୁଧବାର ସନ୍ଧ୍ୟାରେ ବିହାରର ଗୟା ଜିଲ୍ଲାରେ ଏକ ୫ ବର୍ଷର ଛୋଟ ଝିଅ ହଠାତ୍ ନିଖୋଜ ହୋଇଯାଇଥିଲା।

ପରିବାର ଲୋକ ଝିଅଟିକୁ ଖୋଜିବା ଆରମ୍ଭ କରିଥିଲେ, କିନ୍ତୁ ତାକୁ କେଉଁଠି ବି ପାଇନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଝିଅକୁ ନପାଇବାରୁ ପରିବାର ଲୋକ ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।

ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଝିଅଟିକୁ ଖୋଜିବା ଆରମ୍ଭ କରିଥିଲା। କିନ୍ତୁ ଗୁରୁବାର ସକାଳେ ଘରଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ଝିଅଟିର ମୃତଦେହ ମିଳିଥିଲା। ମୃତଦେହକୁ ଦେଖିଲେ ମନେ ହେଉଥିଲା ଯେ ଝିଅଟି ସହିତ ଏକ ଜଘନ୍ୟ ଅପରାଧ କରାଯାଇଛି।

ଅଞ୍ଚଳରେ ଶୋକର ଛାୟା: ପୋଲିସ୍ ତୁରନ୍ତ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ଝିଅଟିକୁ ବଳାତ୍କାର ଏବଂ ପରେ ଗଳାକାଟି ହତ୍ୟା କରାଯାଇଥିବା ନିଶ୍ଚିତ ହୋଇଛି।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି।  ପୋଲିସ ପ୍ରଶାସନକୁ ଯଥାଶୀଘ୍ର ଦୋଷୀମାନଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି ହୋଇଛି। ଏହି ଘଟଣାରେ ପୋଲିସ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।