ବାରବାଟୀ ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ: ପୋଲିସ କମିଶନର ଏସ. ଦେବଦତ୍ତ ସିଂ

କଟକ: (ଓଡ଼ିଶା ଭାସ୍କର) ବାରବାଟୀ ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ। ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ. ଦେବଦତ୍ତ ସିଂ। ‘ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦଳ।

୮ରେ ଅଭ୍ୟାସ ପାଇଁ କଟକ ଯିବେ ଦୁଇ ଦଳ, ୯ରେ ମ୍ୟାଚ। ୫୦ ପ୍ଲାଟୁନ ଫୋର୍ସ ସହ ବରିଷ୍ଠ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ।’ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ।

ସମୟ ଯେତିକି ପାଖେଇ ଆସୁଛି,ମ୍ୟାଚକୁ  ନେଇ ଉତ୍କଣ୍ଠା  ବଢ଼ି ବଢ଼ି ଚାଲିଛି। ଆଜିଠୁ କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଗତକାଲି ରାତିରୁ କ୍ରିକେଟ ପ୍ରେମୀ ଲାଇନ୍ ଲଗାଇଛନ୍ତି। ଟିକେଟ ପାଇଁ ରାତି ସାରା ଧାଡି ବାନ୍ଧି ଉଜାଗର ରହିଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଟିକେଟ ପାଇଁ ଧାଡ଼ି ଲମ୍ଵାଇଛନ୍ତି। ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରର ବ୍ୟବସ୍ଥା ହୋଇଛି । ଟିକେଟ୍‌ ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାରିକେଡ ବନ୍ଧା ଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାନୁଯାୟୀ, ସକାଳ ୯ଟାରୁ  କ୍ରିକେଟ୍ ପ୍ରେମୀଙ୍କ ପାଇଁ ଟିକେଟ୍ କାଉଣ୍ଟର ଖୋଲିବାର ଥିଲା। ହେଲେ କାଉଣ୍ଟର ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇଛି। ଆସନ୍ତାକାଲି (ଗୁରୁବାର) ମଧ୍ୟ ଦର୍ଶକଙ୍କ ପାଇଁ କାଉଣ୍ଟର ଖୋଲା ରହିବ।

ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକେଟ୍‌ ବିକ୍ରି ହେବ। ଏଥିପାଇଁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଗତ ୨ ତାରିଖରେ ଅନଲାଇନ୍‌ରେ ଟିକେଟ ବୁକିଂ କରି ପାରିନଥିବା କ୍ରିକେଟପ୍ରେମୀ ଆଜିର  ଦିନକୁ  ଅପେକ୍ଷା କରି ରହିଥିଲେ।

ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରରେ ଟିକେଟ ବିକ୍ରି ବ୍ୟବସ୍ଥା ହୋଇଛି। ସମସ୍ତ ଗ୍ୟାଲେରୀ ଏବଂ ଦାମୀ ଟିକେଟକୁ ମିଶାଇ ୧୧,୦୮୦ ଟିକେଟ କାଉଣ୍ଟରରେ ବିକ୍ରି ହେବ ବୋଲି  ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।