fbpx

ଭଦ୍ରକ: ଅଧ ଘଣ୍ଟାକରେ ଆକାଶରୁ ଖସିଲା ୫,୪୦୦ ବିଜୁଳି; ଚାଲିଗଲା ୫ ରୁ ଅଧିକ ଜୀବନ

ଭୁବନେଶ୍ୱର: ଅଧ ଘଣ୍ଟାକରେ ଆକାଶରୁ ଖସିଲା ୫,୪୦୦ ବିଜୁଳି, ଚାଲିଗଲା ୫ ରୁ ଅଧିକ ଜୀବନ। ପୂର୍ବରୁ ଓଡ଼ିଶାରେ ସର୍ବାଧିକ ବିଜୁଳି ମାରିବା ରେକର୍ଡ ଥିବା ବେଳେ ଆଜି ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସାରା ରାଜ୍ୟରେ ଏବେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ପବନ ସହିତ ବିଜୁଳି ଘଡ଼ଘଡ଼ି ଲାଗି ରହିଛି। ପୂର୍ବରୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ମିଳିଥିବା ବେଳେ ଆଜି ଅପରାହ୍ନରେ ଭଦ୍ରକର ବାସୁଦେବପୁର ଅଞ୍ଚଳରେ ମାତ୍ର ୩୦ମିନିଟରେ ମାରିଛି ୫ ହଜାର ୪ ଶହ ଥର ବିଜୁଳି।

Image

ରାଜ୍ୟରେ ବିଜୁଳି ଘଡ଼ଘଡ଼ି ମାରିବାରେ ଏହାକୁ ସର୍ବକାଳୀନ ରେକର୍ଡ ବୋଲି ମଧ୍ୟ କୁହାଯାଇପାରିବ। ବିଜୁଳି ଘଡ଼ଘଡ଼ି ମାରିବା ନେଇ ସତର୍କ ସୂଚନା ପ୍ରଦାନ କରୁଥିବା କେନ୍ଦ୍ର ସରକାରଙ୍କ ‘ଦାମିନୀ’ ଆପରୁ ଏହି ସୂଚନା ହସ୍ତଗତ ହୋଇଛି। ତେବେ ଏତେ ମାତ୍ରାରେ ବିଜୁଳି ମାରିବା ପରେ ବଜ୍ରପାତ ଜନିତ କ୍ଷୟକ୍ଷତି ସାଂଘାତିକ ହୋଇପାରେ। ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଭୟଙ୍କର ବଜ୍ରପାତ ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି।

ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ଼ ପବନ ଲାଗି ରହିଛି। ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛ। ଏହାର ପ୍ରଭାବରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ୩୧ରେ ଆଉ ଏକପଶ୍ଚିମା-ଝଡ଼ ଆସୁଥିବାରୁ ଏହା ପ୍ରଭାବରେ ୩୧ମାର୍ଚ୍ଚରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧାରଣ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛନ୍ତି ଯେ, ୨ଅପ୍ରେଲ  ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି।

Get real time updates directly on you device, subscribe now.