fbpx

କରୋନା କାରଣରୁ ବାତିଲ୍ ହେଲା ମାଞ୍ଚେଷ୍ଟର ଟେଷ୍ଟ, ଶେଷ ମ୍ୟାଚ୍ ପାଇଁ ଭାରତକୁ ଏହି ବିକଳ୍ପ ଦେଲା ଇଂଲଣ୍ଡ !

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ କରୋନା ସଙ୍କଟ କାରଣରୁ ବାତିଲ୍ କରାଯାଇଛି । ଦୁଇ ଦେଶର କ୍ରିକେଟ୍ ବୋର୍ଡ ବିସିସିଆଇ ଏବଂ ଇସିବି ଆଲୋଚନା କରି ପରସ୍ପର ସହମତି ଭିତ୍ତିରେ ଟେଷ୍ଟ ବାତିଲ୍ କରାଯିବାର ନିଷ୍ପତ୍ତି ନେଇଛନ୍ତି । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଥିଲେ । ଏହା ପରେ ମ୍ୟାଚ୍ ବାତିଲ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଥିଲା । ଏହା ପୂର୍ବରୁ ଖବର ଆସିଥିଲା ଯେ, ଶୁ୍କ୍ରବାର ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଆରମ୍ଭ ହେବ ନାହିଁ । ମ୍ୟାଚ୍ ବାତିଲ ନେଇ ଖୋଦ୍ ଇସିବି ଟ୍ୱିଟ୍ କରି ଏହାର ସୂଚନା ଦେଇଛି ।

ଏହି ସିରିଜରେ ଭାରତ ସଂପ୍ରତି ୨-୧ରେ ଆଗୁଆ ରହିଛି । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଇସିବି ଭାରତୀୟ କ୍ରିକେଟ୍ ଦଳକୁ ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତରେ ପଞ୍ଚମ ଟେଷ୍ଟ ଖେଳିବାର ବିକଳ୍ପ ମଧ୍ୟ ଦେଇଛି । ଏହି ଗସ୍ତରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ୩ ଟି-୨୦ ଏବଂ ୩ ଦିନିକିଆ ମ୍ୟାଚ୍ ଖେଳିବ । ବିସିିସିଆଇ ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ଅଧିକାରୀଙ୍କ ମଧ୍ୟରେ ଶୁକ୍ରବାର ଖେଳକୁ ନେଇ ବୈଠକ ବସିଥିଲା । ଏଥିରେ ଖେଳ କେତେ ଦିନ ସ୍ଥଗିତ ରଖାଯିବ ଏବଂ ପରବର୍ତ୍ତୀ ସମୟରେ କେବେ ଅନ୍ତିମ ଟେଷ୍ଟ ଖେଳା ଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ହେଲେ ଶେଷରେ ପଞ୍ଚମ ଟେଷ୍ଟ ବାତିଲ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

 

ଏହା ପୂର୍ବରୁ ଖବର ଆସିଥିଲା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଶୁକ୍ରବାର ମାଞ୍ଚେଷ୍ଟରରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ମ୍ୟାଚ୍ ଆରମ୍ଭ ହେବ ନାହିଁ । ଏହା ସ୍ପଷ୍ଟ ହୋଇନଥିଲା ଯେ ମ୍ୟାଚ୍ କେବେ ଖେଳାଯିବ । ଏହା ଉପରେ ଅନ୍ତିମ ନିର୍ଣ୍ଣୟକୁ ଅପେକ୍ଷା କରାଯାଇଥିଲା । ଉଲ୍ଲେଖନୀୟ ଭାରତର ସହାୟକ ଫିଜିଓ ଯୋଗେଶ କୁମାର ଗୁରୁବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ସମସ୍ତ ଖେଳାଳିଙ୍କ ଦୁଇ ଦୁଇ ଥର ଆରଟି ପିସିଆର ଟେଷ୍ଟ କରାଯାଇଥିଲା । ଆଉ ସମସ୍ତ ଖେଳାଳିଙ୍କ ରିପୋର୍ଟ ଗତକାଲି ନେଗେଟିଭ୍ ମଧ୍ୟ ଆସିଥିଲା । ଆଶା କରାଯାଉଥିଲା ଆଜି ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଆରମ୍ଭ ହେବ ।

ମିଡିଆ ରିପୋର୍ଟ ଅନୁଯାୟୀ, ଅନେକ ଭାରତୀୟ ଖେଳାଳି ଏହି ଟେଷ୍ଟ ମ୍ୟାଚ୍ ଖେଳାଯିବା ନେଇ ଚିନ୍ତା ପ୍ରକଟ କରିଥିଲେ । ବିସିସିଆଇ ସହ କଥାବାର୍ତ୍ତା ହୋଇ ଖେଳାଳି ମାଞ୍ଚେଷ୍ଟର ଟେଷ୍ଟ ଖେଳିବା ନେଇ ଦ୍ୱିଧା ପ୍ରକାଶ କରିଥିଲେ । ଏହା ପରେ ବୋର୍ଡ ଇଂଲଣ୍ଡ କ୍ରିକେଟ୍ ବୋର୍ଡ(ଇସିବି) ସହ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଛି । ଗତକାଲି ଖେଳାଳି ଅଭ୍ୟାସ୍ ମଧ୍ୟ କରି ନଥିଲେ । ସଂପ୍ରତି ସମସ୍ତଙ୍କୁ ହୋଟେଲରେ ରହିବାକୁ କୁହାଯାଇଛି ।
ଏହା ପୂର୍ବରୁ ଚତୁର୍ଥ ଟେଷ୍ଟ ସମୟରେ ଭାରତର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସମେତ ତିନି ଜଣ ସପୋର୍ଟ ଷ୍ଟାଫ କରୋନା ସଂକ୍ରମିତ ହୋଇଥିଲେ । ଶାସ୍ତ୍ରୀଙ୍କ ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏବଂ ବୋଲିଂ କୋଚ୍ ଭରତ ଅରୁଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ତିନି ଜଣ ବର୍ତ୍ତମାନ ଲଣ୍ଡନରେ ଏକ ହୋଟେଲରେ ଆଇସୋଲେସନରେ ଅଛନ୍ତି ।

 

Get real time updates directly on you device, subscribe now.