fbpx

କଣ୍ଟାବାଞ୍ଜି ଆସନରୁ କାହିଁକି ଲଢ଼ିବେ ନବୀନ: ଜାଣନ୍ତୁ ଏହା ପଛର ୭ଟି କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏପରି ସ୍ଥିତିରେ ରାଜନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି ।

ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେଡି ତା’ର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱକୁ ନେଇ ବେଶି ଚର୍ଚ୍ଚା ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଓ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏହି ଦୁଇ ଆସନରୁ ଏଥର ନବୀନ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ତେବେ କଣ୍ଟାବାଞ୍ଜି ଆସନରେ ନବୀନ କାହିଁକି ପ୍ରାର୍ଥୀ ହେଲେ ତାହାକୁ ନେେଇ ଏବେ ରାଜନୈତିକ ମହଲରେ ବେଶ୍ ଆଲୋଚନା ଦେଖିବାକୁ ମିଳିଛି ।

୧- ଗତ ୨୦୧୯ ନିର୍ବାଚନରେ ବିଜେଡି କଣ୍ଟାବାଞ୍ଜି ଆସନରୁ ପରାସ୍ତ ହେବା ସହ ତୃତୀୟ ସ୍ଥାନରେ ରହିଥିଲା । ତେଣୁ ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତିକୁ ମଜବୁତ କରିବା ଲକ୍ଷ୍ୟ ନେଇ ବିଜେଡି ସୁପ୍ରିମୋ ଏହି ପଦକ୍ଷେପ ଗ୍ରହଣ କରିଥାଇ ପାରନ୍ତି ।

୨- ଗତ ୩ଟି ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଦୁଇଥର କଣ୍ଟାବାଞ୍ଜି ଆସନରୁ ବିଜୟୀ ହୋଇଥିଲେ । ସାଲୁଜା ୨୦୦୯ ଓ ୨୦୧୯ରେ ବିଜୟୀ ହୋଇଥିବା ବେଳେ ୨୦୧୪ରେ ବିଜେଡି ପ୍ରାର୍ଥୀ ଆୟୁବ ଖାନ ମାତ୍ର ୩,୮୬୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

୩- ବଲାଙ୍ଗିର ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ ୨୦୧୯ରେ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲା । ବଲାଙ୍ଗିର ଆସନରୁ ନରସିଂହ ମିଶ୍ର ଓ କଣ୍ଟାବାଞ୍ଜି ଆସନରୁ ସାଲୁଜା ବିଜୟୀ ହୋଇଥିଲେ । ଅନ୍ୟ ୩ଟ ଆସନ ମଧ୍ୟରୁ ଲୋଇସିଂହା ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ । କେବଳ ଦୁଇଟି ଆସନ ଟିଟିଲାଗଡ଼ ଓ ପାଟଣାଗଡ଼ ବିଜେଡି ହାତକୁ ଯାଇଥିଲା ।

୪- କେବଳ କଣ୍ଟାବାଞ୍ଜି ନୁହେଁ, ସମଗ୍ର ଜିଲ୍ଲାରେ ଏଥର ବିଜେଡିର ସ୍ଥିତି ଭଲ ନାହିଁ । ତେଣୁ ସ୍ଥିତି ସୁଧାରିବା ଲକ୍ଷ୍ୟରେ ନବୀନ ଏହି ଆସନରୁ ପ୍ରାର୍ଥୀ ହୋଇଥାଇ ପାରନ୍ତି ।

୫- ବଲାଙ୍ଗିର ସୀମାକୁ କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ବରଗଡ଼ ଆଦି ଜିଲ୍ଲା ରହିଥିବାରୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ କନ୍ଧମାଳ ପରି ୪ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ୨୮ଟି ବିଧାନସଭା ଆସନରେ ବିଜେଡି ପ୍ରଚାର ଅଭିଯାନକୁ ସଶକ୍ତ କରିବାକୁ ବିଜେଡି ଲକ୍ଷ୍ୟ ରଖିଥାଇପାରେ ।

୬- ଯେଉଁଠି ବିପକ୍ଷ ଦଳ ଅପେକ୍ଷାକୃତ ମଜବୁତ ସ୍ଥିତିରେ ରହିଛି, ସେଭଳି ଆସନରେ ନବୀନ ପ୍ରାର୍ଥୀ ହେଲେ ଦାହା ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ଲଢ଼େଇ ମନୋବୃତ୍ତି ବଢ଼ାଇବ ।

୭- କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇ ନବୀନ କର୍ମୀଙ୍କୁ ସମସ୍ତ ବିପରୀତ ପରିସ୍ଥିତିରେ ଲଢ଼େଇ କରିବାକୁ ବାର୍ତ୍ତା ଦେବାକୁ ଚାହୁଁ ଥାଇ ପାରନ୍ତି । ନବୀନ ପ୍ରାର୍ଥୀତ୍ୱ ସମଗ୍ର ପଶ୍ଚିତ ଓଡ଼ିଶାର ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ନିଶ୍ଚିତ ଭାବେ ନୂଆ ଆଶା ସଞ୍ଚାର କରିବ ।

Get real time updates directly on you device, subscribe now.