fbpx

ହେଡଫୋନରେ ମ୍ୟୁଜିକ ଶୁଣିବା ଏତେ ଭୟଙ୍କର: ବିଶ୍ୱର ୭୦ କୋଟି ଲୋକ ଶ୍ରବଣ ଶକ୍ତି ହରାଇବେ, ଚେତାବନୀ ଦେଲା WHO

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଯୁଗରେ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । କିଛି ଲୋକ ହେଡଫୋନ ଲଗାଇ ଅଧିକ ସାଉଣ୍ଡରେ ଗୀତ ଶୁଣିଥାନ୍ତି । ତେବେ ଏହାର ଭୟଙ୍କର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ । ଏପରି ଖରାପ ଅଭ୍ୟାସ ପାଇଁ ଆପଣଙ୍କର ଶୁଣିବାର କ୍ଷମତା ହ୍ରାସ ପାଇବ । ଏପରିକି ଆପଣମାନେ ସବୁଦିନ ପାଇଁ ଶ୍ରବଣ ଶକ୍ତି ହରାଇବା ସହ କାଲା ହୋଇପାରନ୍ତି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଜାରି କରାଯାଇଛି ।

ଆଜିକାଲିର ଯୁବପୀଢ଼ି ହେଡଫୋନରେ ମ୍ୟୁଜିକ୍ ଶୁଣିବାକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଅଧିକ ସାଉଣ୍ଡରେ ଗୀତ ଶୁଣିବା କାରଣରୁ ଜଣେ କାଲା ପାଲଟି ପାରେ । ଅଧିକ ଶବ୍ଦ ବିଶିଷ୍ଟ ସଙ୍ଗୀତ ଶୁଣିବା କାରଣରୁ ଆମର କାନର ଶୁଣିବା ଶକ୍ତି ହ୍ରାସ ପାଇବା ସହ ଆମେ କାଲା ହୋଇଯିବାର ଆଶଙ୍କା ରହିଛି । ଏକ ରିସର୍ଚ୍ଚ ମୁତାବକ, ବିଶ୍ୱରେ ବର୍ତ୍ତମାନ ୪୩ କୋଟିରୁ ଅଧିକ ଲୋକ ଶୁଣିବା ଅକ୍ଷମତା ରୋଗରେ ପୀଡ଼ିତ ଅଛନ୍ତି । ହୁ ସୂଚନା ମୁତାବକ, ଆସନ୍ତା ୨୦୨୫ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୭୦ କୋଟିରେ ପହଞ୍ଚିଯିବ ।

ଗତ ଏକ ଦଶନ୍ଧି ମଧ୍ୟରେ ଇଂରାଜୀ, ସ୍ପେନିଶ, ଫ୍ରେଞ୍ଚ ଓ ରୁଷୀୟ ଭାଷାରେ ପ୍ରକାଶିତ ୩୩ଟି ଅଧ୍ୟୟନର ତଥ୍ୟକୁ ଆକଳନ କରାଯାଇଥିଲା । ତେବେ ୧୨-୩୪ ବର୍ଷୀୟ ଯୁବବର୍ଗଙ୍କ ପରିସ୍ଥିତି ସଙ୍କଟାପନ୍ନ ରହିଥିବା ସେଥିରୁ ଜଣାପଡ଼ିଥିଲା । ତେବେ ଏହି ରିପୋର୍ଟ ଭବିଷ୍ୟତର ମାନବ ସଭ୍ୟତା ପାଇଁ ଏକ ସତର୍କ ଘଣ୍ଟି । ନିଜର ମନୋରଞ୍ଜନ ପାଇଁ ମଣିଷ ଯେଉଁ କୁଭ୍ୟାସକୁ ଆପଣାଉଛି ତା’ର ଭୟଙ୍କର ପରିଣତି ଆଗାମୀ ଦିନରେ ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.