fbpx

ଦୁଇ ଡୋଜ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି ସଂକ୍ରମଣ ଆଶଙ୍କା ବଢ଼ାଇଥାଏ: ଡାକ୍ତର ଫାଉଚି

ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ଦୁଇଟି ଟିକା ମଧ୍ୟରେ ଥିବା ସମୟ ବ୍ୟବଧାନକୁ ନେଇ ଅନେକ ଦ୍ଵନ୍ଦ ଉପୁଜିଛି । ହେଲେ ଏହା ମଧ୍ୟରେ ଆମେରିକାର ଜଣେ ଡାକ୍ତର ଏହାକୁ ନେଇ ଭିନ୍ନ ମତ ପ୍ରକାଶ କରିଛନ୍ତି । ତେବେ ଶୁକ୍ରବାର ଆମେରିକୀୟ ରାଷ୍ଟ୍ରପତିଙ୍କ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି ଗଣମାଧ୍ୟମକୁ କହିଛନ୍ତି ଯେ, ଦୁଇ ଡୋଜ୍‌ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି କରିଥାଏ ।

ଦୁଇ ଡୋଜ୍‌ ‘ଏମ୍ଆର୍‌ଏନ୍‌ଏ’ ଟିକା ‘ଫାଇଜର୍‌’ ମଧ୍ୟରେ ଉଚିତ ବ୍ୟବଧାନ ହେଉଛି ୩ ସପ୍ତାହ ଏବଂ ‘ମଡର୍ଣ୍ଣା’ ମଧ୍ୟରେ ବ୍ୟବଧାନ ହେଉଛି ୪ ସପ୍ତାହ । ଏହି ବ୍ୟବଧାନ ବା ଅନ୍ତର ବୃଦ୍ଧି କରାଗଲେ ଜଣେ ‘କୋଭିଡ୍‌ ଭେରିଆଣ୍ଟ୍‌’ ଦ୍ବାରା ସଂକ୍ରମିତ ହେବାର ଆଶଙ୍କା ଉପୁଜି ପାରେ । ଇଂଲଣ୍ଡ୍‌ରେ ଦୁଇ ଡୋଜ୍‌ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧିକୁ ଆଖି ଆଗରେ ରଖି ସେ ଏପରି କହିଛନ୍ତି । ଏ କ୍ଷେତ୍ରରେ ଜଣେ ‘ଭେରିଆଣ୍ଟ୍‌’ ଦ୍ବାରା ଆକ୍ରାନ୍ତ ହୋଇପାରେ । ତେଣୁ ନିର୍ଦ୍ଧାରିତ ବ୍ୟବଧାନ ଅନୁସାରେ ଟିକା ନିଅନ୍ତୁ ।

ସୂଚନାଯୋଗ୍ୟ, ଗତ ମାସରେ ଭାରତ ସରକାର ୬ ରୁ ୮ ସପ୍ତାହ ଥିବା ‘କୋଭିସିଲ୍‌ଡ୍‌’ ଟିକା ଡୋଜ୍‌ ମଧ୍ୟସ୍ଥ ବ୍ୟବଧାନକୁ ୧୨ ରୁ ୧୬ ସପ୍ତାହକୁ ବୃଦ୍ଧି କରିଥିଲେ । ଏହାଦ୍ବାରା ଟିକାର ଫଳପ୍ରଦତା ବୃଦ୍ଧି ପାଇବ ବୋଲି କୁହାଯାଇଥିଲା । କିନ୍ତୁ, ଟିକା ଅଭାବ ଯୋଗୁଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା । ସେ ସମୟରେ ଡାକ୍ତର ଫାଉଚି କହିଥିଲେ, ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ବ୍ୟବଧାନ ବୃଦ୍ଧି ଯୁକ୍ତିଯୁକ୍ତ ।

କିନ୍ତୁ, ଶୁକ୍ରବାର ଦିନ ସେ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଭୂତାଣୁ ସଂକ୍ରମଣ ବେଗକୁ ଅତିକ୍ରମ କରିବା ଲାଗି ଯେତେ ଶୀଘ୍ର ସମ୍ଭବ ଲୋକମାନଙ୍କୁ ଟିକା ଦିଆଯିବା ଉଚିତ। ବିଶେଷକରି ଅଧିକ ସଂକ୍ରମଣଶୀଳ ‘ଡେଲ୍‌ଟା ଭେରିଆଣ୍ଟ୍‌’ ପାଇଁ ଏହା ଜରୁରୀ।

Get real time updates directly on you device, subscribe now.